କନକ ବ୍ୟୁରୋ : ଭୁବନେଶ୍ବରରୁ ଦୁବାଇ ମଧ୍ୟରେ ବିମାନ ଚଳାଚଳ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ । ଗତକାଲି ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ଏହା କହିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରି ଉତ୍ତରରେ କହିଥିଲେ ଯେ, ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ।

Advertisment

ଏତଦ୍‌ବ୍ୟତୀତ ଭୁବନେଶ୍ବରରୁ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ କରିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଏହା ବେସରକାରୀ ଏୟାରଲାଇନ୍ସ ମାନଙ୍କର ବିଶେଷ ଅଧିକାର ଉପରେ ନିର୍ଭର କରୁଛି । ସେମାନେ ସମସ୍ତ ପ୍ରକାର ବ୍ୟବସ୍ଥା ଓ ଆବଶ୍ୟକତାକୁ ଅନୁଧ୍ୟାନ କରିଥା’ନ୍ତି । ସେ ପୁଣି କହିଥିଲେ, ଝାରସୁଗୁଡ଼ା ବିମାନ ବନ୍ଦର ପୂର୍ଣ୍ଣମାତ୍ରାରେ ବିମାନ ବନ୍ଦରରେ ପରିଣତ ହୋଇଛି । ଭୁବନେଶ୍ବର ନିକଟରେ ନୂଆ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଆସିଥିବା କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ସାଂସଦଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ।

ଏ ସମ୍ପର୍କରେ ସେ କହିଥିଲେ , ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବିମାନ ବନ୍ଦର ପ୍ରାଧିକରଣ ଦ୍ବାରା ୩ଟି ସ୍ଥାନ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ହେଲେ ପ୍ରସ୍ତାବିତ ୩ଟି ସ୍ଥାନ ଉପଯୋଗୀ ନଥିଲା । ଏହାପରେ ରାଜ୍ୟ ସରକାରଙ୍କ ପାଖରୁ ଭୁବନେଶ୍ବର ନିକଟରେ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ପାଇଁ ବିଚାରବିମର୍ଷ ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏଥିସହିତ, ବିମାନ ବନ୍ଦର ନିର୍ମାଣ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରି କହିଥିଲେ ।