ଭୁବନେଶ୍ୱରର ସୋରୁମରେ ଅଗ୍ନିକାଣ୍ଡ ! ମାଷ୍ଟରକ୍ୟାଂଟିନ୍ ବ୍ଲାକବେରୀ ସୋରୁମରେ ଘଂଟାଏ ଧରି ନିଆଁ

44

କନକ ବ୍ୟୁରୋ : ଭୁବନେଶ୍ୱରର ସୋରୁମରେ ନିଆଁ । ରାଜଧାନୀର ମାଷ୍ଟରକ୍ୟାଂଟିନ୍ ସ୍ଥିତ ବ୍ଲାକବେରୀ ସୋରୁମରେ ଅଗ୍ନିକାଣ୍ଡ ଘଟିଛି । ତେବେ ୩ଟି ଦମକଳ ନିଆଁକୁ ଆୟତ କରିଛନ୍ତି । ଗତ କାଲି ସଂଧ୍ୟାରେ ସୋରୁମରେ ନିଆଁ ଲାଗିଥିଲା । ବ୍ଲାକବେରୀ ସୋରୁମରେ ଷ୍ଟୋରରୁମରେ ସଟ୍ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିଥିଲା । ଏପରିକି ପାଖରେ ଥିବା ଅନ୍ୟ ଦୁଇଟି ସୋରୁମ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଁଚି ଯାଇଥିଲେ ଦମକଳ ଗାଡି । ଦୀର୍ଘ ଅଧଘଂଟା ଧରି ଅଗ୍ନିଶମ କର୍ମଚାରୀ ପରିଶ୍ରମ କରି ନିଆଁକୁ ଲିଭାଇଥିଲେ । ତୁରନ୍ତ ପଦକ୍ଷେପ ଯୋଗୁ ବଡ଼ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇପାରିଛି । ଅଗ୍ନିକାଣ୍ଡରେ ସୋରୁମରେ ହୋଇଥିବା କ୍ଷୟକ୍ଷତି ନେଇ ଆକଳନ କରାଯାଇନାହିଁ । ତେବେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ୍ ସାର୍ଟପ୍ୟାଂଟ୍ ପୋଡି ନଷ୍ଟ ହୋଇଯାଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଇଛି ।

ଅନ୍ୟପଟେ ମୁମ୍ବାଇ ବହୁତଳବିଶିଷ୍ଟ ବିଲଡିଂରେ ଲାଗିଲା ନିଆଁ । ମୁମ୍ବାଇ ଗୋରେଗାଓଁରେ ଥିବା ଟେକ୍ନିକ୍ ପ୍ଲସ୍ ୱାନ ନାମକ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି । ଏସବି ରୋଡରେ ଥିବା ଏହି ବିଲଡିଂରେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଗ୍ନିକାଣ୍ଡରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ଛନ୍ତି । ବିଲଡିଂର ସପ୍ତମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ୮ଟି ଦମକଳ ଓ ୬ଟି ବଡ଼ ଜୁମ୍ବୋ ଟ୍ୟାଙ୍କର ସହାୟତାରେ ନିଆଁକୁ ଆୟତ କରାଯାଇଛି । ବେସମେଂଟରେ ଥିବା ଇଲେକ୍ଟିକ୍ ୱାୟାରିଂରୁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିବା କୁହାଯାଇଛି ।

ପରେ ନିଆଁ ଅଷ୍ଟମ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ନିଆଁକୁ ଆୟତ କରିବାକୁ ଯାଇ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ସିଦ୍ଧାର୍ଥ ହସ୍ପିଟାଲରେ ଭର୍ତି କରା ଯାଇଛି । ଅଗ୍ନିକାଣ୍ଡର ଭୟାବହତା ଦୃଷ୍ଟିରୁ ଏହାକୁ ଟାଇପ୍ ଥ୍ରି ମେଜର ପର୍ଯ୍ୟାୟରେ ରଖିଛି ମୁମ୍ବାଇ ଅଗ୍ନିଶମ ବିଭାଗ । ଗୋରେଗାଓଁର ଏହି ବିଲଡିଂରେ ଅନେକ କମ୍ପାନୀର କାର୍ଯ୍ୟାଳୟ ରହିଛି । ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ନଇମୁଦ୍ଦିନ ଶାହା, ରାମ ଅବତାର ଓ ରାମ ତିରଥପାଲ୍ ।