କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ବିକାଶର ଅନ୍ତରାଳେ ମାଫିଆ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ସଂପ୍ରତି ଭୁବନ-ଡୁବୁରି ରାସ୍ତା ଚୋରା କୋଇଲାର କରିଡର ପାଲଟିଛି । ଚେର ଲମ୍ବିଛି ତାଳଚେରରୁ ଯାଜପୁର । ମାଫିଆମାନେ କୋଟିକୋଟି ଟଙ୍କା ମୁନାଫା କମାଉଛନ୍ତି । ଗୁରୁତ୍ବପୂର୍ଣ୍ଣ ହେଉଛି ଶିଳ୍ପାନୁଷ୍ଠାନ ସହ ମାଫିଆଙ୍କର ମଧୁର ସଂପର୍କ ରହିଛି । ଖଣି ବିଭାଗ ଓ ସ୍କ୍ବାଡ୍ ନିରବ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାଫିଆମାନେ ଜାତୀୟ ରାଜପଥକୁ ଚୋରା ବ୍ୟବସାୟର କରିଡରରେ ପରିଣତ କରିଛନ୍ତି । ସମଗ୍ର ଜିଲ୍ଲାରେ ଚୋରା କୋଇଲା କାରବାର ବ୍ୟାପକ ହେଉଛି । ବଡଚଣାରେ ଜବତ କୋଇଲା ଟ୍ରକ୍ ଘଟଣାରୁ ବହୁ ରହସ୍ୟ ପଦାକୁ ଆସିଛି । ଚଣ୍ଡିଖୋଲରେ ଚୋରା କୋଇଲା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଏହି ଗୋଷ୍ଠୀ ୩/୪ମାସ ହେଲା ବ୍ୟବସାୟକୁ ବ୍ୟାପକ କରିଛନ୍ତି । ଗତ ମାସ ୨୯ ତାରିଖରେ ଯାଜପୁରରୋଡ଼ ପୁଲିସ୍ ଚୋରା କୋଇଲା ବୋଝେଇ ଟ୍ରକକୁ ଧରି ବଡଚଣାକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ କେବଳ ଡ୍ରାଇଭର ଗିରଫ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ମାଲିକଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ ।