ଦିନରେ ଦରଜୀ ରାତିରେ ହତ୍ୟାକାରୀ : ଧରାପଡ଼ିଲା ସବୁଠାରୁ ନୃଶଂସ ସିରିଏଲ୍ କିଲର୍

45

କନକ ବ୍ୟୁରୋ : ବେଶ୍‌ ନମ୍ର ସ୍ୱଭାବର ବ୍ୟକ୍ତି ଥିଲା । କାହା ସହିତ ଝଗଡ଼ା ଝାଣ୍ଟି କରୁନଥିଲା କି କାହାକୁ ମାର୍‌ଧର କରୁନଥିଲା । ଭୋପାଳରେ ଏକ ଛୋଟ ଦୋକାନ ଦେଇ ଲୋକଙ୍କ ଚିରାଫଟା ପୋଷାକ ସିଲେଇ କରୁଥିଲା । କିନ୍ତୁ ଆଜି ତାକୁ ନେଇ ଭୋପାଳ କାହିଁକି, ସାରା ଦେଶ ଚକିତ। ଦିନରେ ଲୋକଙ୍କ କପଡ଼ା ସିଲେଇ କରୁଥିବା ଏହି ବ୍ୟକ୍ତି ଜଣକ ରାତିରେ ସଇତାନ ସାଜି ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲା । ଗୋଟିଏ କି ଦୁଇଟି ନୁହେଁ, ୮ ବର୍ଷ ମଧ୍ୟରେ ୩୩ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା । ଦିନରେ ଯେତିକି ନମ୍ର ଜଣାପଡୁଥିଲା ରାତିରେ ତାହାର ଢେର ଗୁଣ ଅଧିକ ହିଂସ୍ର ପାଲଟି ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଥିଲା । ପୁଲିସକୁ ଏହାର କାଣିଚାଏ ଟେର୍‌ ମିଳିନଥିଲା । ଭୋପାଳର ଏହି ବ୍ୟକ୍ତି ଜଣକ ହେଉଛି ଆଦେଶ ଖାମ୍‌ରା। ବୟସ ୪୮। ଗତ ସପ୍ତାହରେ ଭୋପାଳ ପୁଲିସ ତାକୁ ଗିରଫ କରିଛି । ଗିରଫ ପରେ ଜୀବନରେ ସେ ୩୩ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତା’ ମୁହଁରୁ ଏସବୁ ଶୁଣିବା ପରେ ପୁଲିସ ବି ଚକିତ ହୋଇଯାଇଛି । କିନ୍ତୁ ଏହି ଘଟଣା ସ୍ୱୀକାର କରିବା ସମୟରେ ଖାମ୍‌ରା ମୁହଁରେ ସାମାନ୍ୟତମ ଅବଶୋଷ ଦେଖିବାକୁ ମିଳିନଥିଲା । ଭୋପାଳ ସିଟି ଏସ୍‌ପି ତଥା ତାଏକୋଣ୍ଡୋରେ ବ୍ଲାକ୍‌ବେଲ୍ଟ ପ୍ରାପ୍ତ ଏବଂ ଏସିଆନ୍‌ ଗେମ୍ସରେ କାଂସ୍ୟ ପଦକ ହାସଲକାରୀ ବିଟ୍ଟୁ ଶର୍ମା ଖାମ୍‌ରାକୁ ପିଛା କରି ଗିରଫ କରିଥିଲେ ।

ଖାମ୍‌ରା ୨୦୧୦ରେ ପ୍ରଥମେ ଜଣେ ଟ୍ରକ୍‌ ଡ୍ରାଇଭରକୁ ହତ୍ୟା କରିଥିଲା । ଅମରାବତୀରୁ ତା’ର ହତ୍ୟା ଅଭିଯାନ ଆରମ୍ଭ ହୋଇଥିଲା । ଏହାପରେ ନାସିକ୍‌ରେ ଆଉ ଜଣକୁ ହତ୍ୟା କରିଥିଲା । ପରେ ସେ ଆଉ ଅଟକି ନାହିଁ । ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ବିହାରରେ ଏଭଳି ଜଣକ ପରେ ଜଣକୁ ହତ୍ୟା କରିଥିଲା ଖାମ୍‌ରା । ହତ୍ୟାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ଟ୍ରକ୍‌ ଡ୍ରାଇଭର ଏବଂ ସେମାନଙ୍କ ହେଲ୍‌ପର ଥିଲେ। ପ୍ରଥମେ ସେ ଡ୍ରାଇଭର୍‌ଙ୍କୁ ମଦ ପିଆଉଥିଲା । ସେମାନେ ନିଶାସକ୍ତ ହେବା ପରେ ଧାରୁଆ ଛୁରି ସାହାହ୍ୟରେ ସେମାନଙ୍କୁ ହତ୍ୟା କରୁଥିଲା । ଏମିତି କି ବିଷପାନ କରାଇ ଏବଂ ଦଉଡ଼ି ସାହାଯ୍ୟରେ ତଣ୍ଟି ଚିପି ମଧ୍ୟ ସେ ହତ୍ୟା କରିଥିବା ସ୍ୱୀକାର କରିଛି । ଡ୍ରାଇଭର ଓ ହେଲ୍‌ପରଙ୍କୁ ଟାର୍ଗେଟ୍‌ କରି ସେମାନଙ୍କୁ ହତ୍ୟା କରିବାର କାରଣ ସଂପର୍କରେ ଖାମ୍‌ରା ଯେଉଁ ବୟାନ ଦେଇଛି, ତାହା ମଧ୍ୟ ବିସ୍ମୟ କଲାଭଳି । ଏ ନେଇ ଖାମ୍‌ରା କହିଛି ଯେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରମାନେ ଅତ୍ୟନ୍ତ ଦୟନୀୟ ଭାବେ ବଂଚନ୍ତି । ଏଭଳି ବଂଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନଙ୍କୁ ମୋକ୍ଷ ଦେବା ପାଇଁ ଏଭଳି କରିଛି । ଏହାଦ୍ୱାରା ସେମାନେ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି । ଖାମ୍‌ରାର ସହଯୋଗୀ ଜୟକରନ୍‌ ମଧ୍ୟ ଅନୁରୂପ ବୟାନ ଦେଇଛି ।

ଭୋପାଳ ପୁଲିସ ଦର୍ଶାଇଛି ଯେ ଦିନରେ ଖାମ୍‌ରା ତା’ର ଛୋଟ ଦୋକାନରେ ଛୁଞ୍ଚିରେ ସୂତା ପୂରାଇବା, କପଡ଼ା ସିଲେଇ କରିବା ଓ କପଡ଼ା କାଟିବା ଭଳି କାର‌୍ୟ୍ୟ କରିଥାଏ । ସ୍ଥାନୀୟ ଲୋକମାନଙ୍କ ସହିତ ତା’ର ସୁସଂପର୍କ ମଧ୍ୟ ରହିଛି। କିନ୍ତୁ ରାତିରେ ବିଛଣାକୁ ଯିବା କ୍ଷଣି ସେ ସଂପୂର୍ଣ୍ଣ ବଦଳିଯାଏ। ହାତରେ ଛୁଞ୍ଚି ବଦଳରେ ଛୁରି ଓ ଅନ୍ୟ ହତିଆର ଧରେ । ଛୁଞ୍ଚିରେ ସୂତା ପୂରାଇବା ପରିବର୍ତ୍ତେ ହତିଆରକୁ ଶାଣିତ କରେ । ଏହାପରେ ନିଜ ଶିକାର ସନ୍ଧାନରେ ବାହାରିପଡ଼େ । ରାତିରେ ସେ ଡ୍ରାଇଭର ଓ ହେଲ୍‌ପରଙ୍କୁ ହତ୍ୟା କରୁଥିବା ବେଳେ ତା’ର ସହଯୋଗୀମାନେ ଲୁଟ୍‌ପାଟ କରନ୍ତି । ହତ୍ୟା କରିବା ପରେ ମୃତଦେହକୁ ଅନ୍ୟ ଟ୍ରକ୍‌ ଡାଲାରେ ଫିଙ୍ଗିଦିଏ। ଫଳରେ ମୃତଦେହ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଯାଏ ।
ଏହାଦ୍ୱାରା ପୁଲିସକୁ କୌଣସି ସୁରାକ୍‌ ମିଳିନଥାଏ। ୪୮ ବର୍ଷୀୟ ଖାମ୍‌ରା ସଂପର୍କରେ ଏଭଳି ଲୋମଟାଙ୍କୁରା ଘଟଣା ଶୁଣିବା ପରେ ତା’ର ଘର ଲୋକ, ସାହିପଡ଼ିଶା ଲୋକ ଆଶ୍ଚର‌୍ୟ୍ୟଚକିତ ହୋଇଛନ୍ତି । ଏତେ ଭୟଙ୍କର ଲୋକ ସହିତ ସେମାନେ କିଭଳି ରହୁଥିଲେ ବୋଲି ବିସ୍ମୟ ପ୍ରକାଶ କରିଛନ୍ତି । ଖାମ୍‌ରା ତା’ ଜୀବନରେ ଯେଉଁସବୁ ହତ୍ୟା କରିଛି, ତା’ର ସବୁ ତାଲିକା ତା’ ମନରେ ଅଛି । କେବେ କେଉଁଠି ଏବଂ କେମିତି ସେ ହତ୍ୟା କଲା, ହତ୍ୟା ପରେ ମୃତଦେହକୁ କିଭଳି ଲୁଚାଇଲା ସେ ନେଇ ସମସ୍ତ ଘଟଣା ତା’ର ମନେ ଅଛି । ୩୩ ହତ୍ୟା କରିଥିବା ଖାମ୍‌ରାର ନାମ ଏବେ ଦେଶର ଅନ୍ୟ ସିରିଏଲ୍‌ କିଲର୍‌ଙ୍କ ସହିତ ଯୋଡ଼ିହୋଇ ଯାଇଛି ।