ଆଜି ପ୍ରସିଦ୍ଧ ଗଜଲ ଗାୟିକା ବେଗମ ଅଖତରଙ୍କ ୧୦୩ତମ ଜନ୍ମଦିବସ ! ଡୁଡ଼ଲ୍ ତିଆରି କରି ଗୁଗଲ ଜଣାଇଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

60

ପ୍ରସିଦ୍ଧ ଗଜଲ ଗାୟିକା ବେଗମ ଅଖତରଙ୍କର ଆଜି ୧୦୩ତମ ଜନ୍ମଦିନ । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଗୁଗଲ, ଡୁଡ଼ଲ ତିଆରି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ୧୯୧୪, ୭ ଅକ୍ଟୋବରରେ ଉତ୍ତରପ୍ରଦେଶର ଫୈଜାବାଦରେ ଜନ୍ମଗ୍ରହଣ କରିଥିେଲେ ସ୍ୱର ସାମ୍ରାଜ୍ଞୀ ତଥା ଗଜଲର ମଲ୍ଲିକା ବେଗମ ଅଖତର । ବେଗମ ଅଖତାରଙ୍କୁ ଗଜଲର ମଲ୍ଲିକା କୁହାଯାଏ । ତେବେ ଏହି ଗଜଲ ଗାୟିକାଙ୍କ ଜନ୍ମଦିନ ଅବସରରେ ଗଜଲ ପ୍ରେମୀମାନେ ତାଙ୍କର ସ୍ମୁତିଚାରଣ କରିଛନ୍ତି । କେବଳ ଏତିକି ନୁହେଁ ଗୁଗୁଲ ବେଗମ ଅଖତରଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି । ଡୁଡ଼ଲରେ ସୁପ୍ରସିଦ୍ଧ ଗଜଲ ଗାୟିକା ବେଗମ ଅଖତର ହାତରେ ସିତାରା ଧରିଥିବାର ନଜର ଆସୁଛନ୍ତି ।

begum-akhtarଦାଦରା, ଠୁମରୀ ଓ ଗଜଲରେ ପ୍ରସିଦ୍ଧି ହାସଲ କରିଥିବା ବେଗମ ଅଖତର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ବ୍ୟତୀତ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ‘ନସୀବ କା ଚକ୍କର’ , ‘ଦ ମ୍ୟୁଜିକ୍ ରୁମ’, ‘ରୋଟି’, ‘ଦାନା-ପାନି’ , ‘ଏହସାନ’ ପରି ସିନେମାରେ କଣ୍ଠପ୍ରଦାନ କରିଛନ୍ତି । ତେବେ ଏହା ବ୍ୟତୀତ ସେ ଅନେକ ସିନେମା ଓ ନାଟକରେ ଅଭିନୟ ମଧ୍ୟ କରିଥିଲେ । ୧୯୪୫ରେ ସେ ଇସ୍ତିଆକ୍ ମହମ୍ମଦ୍ ଅବାସୀଙ୍କୁ ବିବାହ କରିଥିଲେ, ଯିଏ ବୃତ୍ତିରେ ଜଣେ ଓକିଲ ଥିଲେ । ଲୋକପ୍ରିୟ ଗଜଲ ‘ୟେ ମୋହବତ ତେରେ ଅଞ୍ଜାମ ପେ ରୋନା ଆୟା. . . . .’ ବ୍ୟତୀତ ଅନେକ ଗଜଲ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ।

ବେଗମ ଅନେକ ସ୍ଥାନରେ ଗଜଲ ଗାଇ ଲୋକଙ୍କୁ ବିିମୋହିତ କରିଥିଲେ ହେଁ ସେ ଲକ୍ଷ୍ନୌକୁ ଅଧିକ ଭଲ ପାଉଥିଲେ । ଅଳ୍ପ ବୟସରୁ ହିଁ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା । ୧୯୨୦ରେ ସେ କୋଲକାତାର ଏକ ଥିଏଟରରେ ଅଭିନୟ ଆରମ୍ଭ କରିଦେଇଥିଲେ । କୁହାଯାଏ ବେଗମ ଅଖତରଙ୍କ ଗଜଲ ଗାୟନ ଶୈଳୀ ଖୁବ୍ ନିଆରା ଥିଲା , ତାଙ୍କୁ ଦେଖି ହିଁ ଅନ୍ୟ କଳାକାର ମାନେ ଗଜଲ ବିଷୟରେ ଶିଖିଥିଲେ । ହିନ୍ଦୀ ସିନେମାରେ ମଧ୍ୟ ସେ ନିଜର ଗଜଲର ଯାଦୁ ଦେଖାଇଥିଲେ ଏବଂ ସମସ୍ତଙ୍କର ହୃଦୟ ଜିତିଥିଲେ । ମାତ୍ର ୬୦ ବର୍ଷ ବୟସରେ ୩୦ ଅକ୍ଟୋବର ୧୯୭୪ରେ ତାଙ୍କର ଦେହାନ୍ତ ହୋଇଥିଲା ।