ପରଲୋକରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ ! ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ବରିଷ୍ଠ ବିଜେଡ଼ି ନେତା

854

କନକ ବ୍ୟୁରୋ : ପରଲୋକରେ ବରିଷ୍ଠ ବିଜେଡ଼ି ନେତା ବେଦପ୍ରକାଶ ଅଗ୍ରୱାଲ୍ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବେଦ ପ୍ରକାଶ ଅଗ୍ରୱାଲ । ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ  ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି । ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବେଦ ପ୍ରକାଶ ।ବେଦପ୍ରକାଶଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପରିବାର ଲୋକ ।

ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ବେଦ ପ୍ରକାଶ ଅଗ୍ରଓ୍ବାଲ ୧୬ ଜାନୁଆରୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୪ ଚାରିଥର କେନ୍ଦ୍ରାପଡା ଆସନରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ  ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ କେନ୍ଦ୍ରାପଡାରୁ ମଧ୍ୟ ସେ ବିଧାୟକ ଥିଲେ  ବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ ।

ବେଦପ୍ରକାଶ ଅଗ୍ରୱାଲ ୧୯୭୪ ମସିହାରେ ପ୍ରଥମେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସପ୍ତମ ବିଧାନସଭା ଅର୍ଥାତ ୧୯୭୯ରେ ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ଦଶମ ବିଧାନସଭାକୁ ବେଦ ପ୍ରକାଶ ଜନତା ଦଳ ଟିକେଟରୁ ଳଢି ନିର୍ବାଚିତ ହୋଇଥିଲେ । ଦ୍ୱାଦଶ ନିର୍ବାଚନରେ ତାଙ୍କୁ ବିଜେପି ଟିକେଟାର କେନ୍ଦ୍ରାପଡା ନିର୍ବାଚନ ଲଢିବାକୁ ସୁଯୋଗ ମିଳିଥିଲା ।ଏଥିରେ ବିଜୟୀ ହୋଇ ବିଧାନସଭାରେ ଜଣେ ଟାଣୁଆ ସଦସ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏହା ପରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ ହେତୁ ବେଦପ୍ରକାଶ ପାଟକୁରା ନିର୍ବାଚନ ମଣ୍ଡଳୀକୁ  ପ୍ରାର୍ଥୀ ହୋଇଥିଲେ । ତାଙ୍କର ବିୟୋଗରେ ପାଟକୁରାରେ ଶୋକର ଛାୟା ଖେଳିଯାଇଛି ।

ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତନ୍ୱା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିଜେପ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ମଧ୍ୟ ତାଙ୍କୁ ଜଣେ ଭଲ ମଣିଷ ବୋଲି ବର୍ଣ୍ରନା କରି ଶ୍ରଦ୍ଧାଂଜଳୀ ଜ୍ଞାପନ କରିଛନ୍ତି । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ।

ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକପ୍ରକାଶ କରିଛନ୍ତି । ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ହରାଇବା ମୋ ପାଇଁ ଓ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।