କଅଁଳ ନିଷ୍ପାପ ଜୀବନ ଉପରେ ଦାଉ ସାଧୁଛି ଦୈବ : ଦିନେ ନୁହେଁ କି ମାସେ ନୁହଁ, ଦୀର୍ଘ ୧୪ ବର୍ଷ ଧରି କ୍ଷୀର ବିସ୍କୁଟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ବେବିନା . . . . .କୁନି ଝିଅକୁ ସାହା ହୁଅ ସରକାର

650

କନକ ବ୍ୟୁରୋ : ଦିନେ ନୁହେଁ କି ମାସେ ନୁହଁ, ଦୀର୍ଘ ୧୪ ବର୍ଷ ଧରି କ୍ଷୀର ବିସ୍କୁଟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି କୁନି ଝିଅ ବେବିନା । କଅଁଳ ନିଷ୍ପାପ ଝିଅ ଉପରେ ଦାଉ ସାଧୁଛି ଦୈବ । ଜନ୍ମହେବା ଦିନଠାରୁ ରୋଗାଗ୍ରସ୍ତ ହୋଇ ବିଛଣାରେ ପଡ଼ି ପଡ଼ି ଛଟପଟ ହେଉଛି ସରଳ ନିଷ୍ପାପ ଜୀବନ । ପାଠପଢ଼ା, ଖେଳକୁଦ ବୟସରେ ଗୋଟିଏ ଜାଗାରେ ପଡ଼ିରହିଛି । ନାଁ କଥା କହୁଛି, ନା ଚଳାବୁଲା କରିପାରୁଛି । ଆଉ ବେବିନା ପାଇଁ ତିଳ ତିଳ ହୋଇ ଜଳୁଛନ୍ତି ପରିବାର ଲୋକ । ଘରର ଆର୍ଥିକ ପରିସ୍ଥିତି ଭଲନଥିବାରୁ କୁନି ଝିଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକ । ବେବିନାର ଗାଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫କି.ମି ଦୂରରେ ଥିବାବେଳେ ଏଯାଏଁ ପ୍ରଶାସନ ପହଞ୍ଚି ନପାରିବା ଅତ୍ୟନ୍ତ ପରିତାପର ବିଷୟ ।

କେନ୍ଦୁଝର ସଦର ବ୍ଲକର ବୋଦାପଳାସା ପଂଚାୟତ ଶଙ୍କରପୁର ଗ୍ରାମର ବଡସାହିର ରୋହିତ ଚାନ୍ଦ ମହାନ୍ତ । ପେଶାରେ ଜଣେ ଦିନମଜୁରିଆ । ୧୪ ବର୍ଷ ପୂର୍ବେ ସ୍ତ୍ରୀର ପ୍ରଥମ ଗର୍ଭରୁ ଜନ୍ମ ନେଇଥିଲା ବେବିନା । ପ୍ରଥମେ ଝିଅଟିଏ ଜନ୍ମ ହୋଇଥିବାରୁ ଘରକୁ ଲକ୍ଷ୍ମୀ ଆସିଲା ବୋଲି ପରିବାର ଲୋକ ଖୁସିରେ ଆତ୍ମହରା ହୋଇଯାଇଥିଲେ । ହେଲେ କିଏ ଜାଣିଥିଲା ସେହି ଖୁସି ଥିଲା କେବଳ କ୍ଷଣିକ ପାଇଁ । ବେବିନା ଯେତିକି ବଡ ହେଉଥିଲା ଦୁଃଖ ସେତିକି ବଳେଇ ପଡ଼ୁଥିଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଖେଳବୁଲା କରିବା ପରିବର୍ତ୍ତେ ବିଛଣା ପଡ଼ି ରହୁଥିଲା ବେବିନା । ଖାଦ୍ୟ କହିଲେ କେବଳ କ୍ଷୀର ଆଉ ବିସ୍କୁଟ । ଝିଅର ଏପରି ଅବସ୍ଥା ଦେଖି ସହିପାରୁ ନଥିଲେ ବାପାମା’ ।

ବେବିନାକୁ ଭଲ କରିବାକୁ ମୂଲମଜୁରୀ କରି ସଞ୍ଚିଥିବା ଟଙ୍କା ଦେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ ପରିବାର ଲୋକ । ଚିକିତ୍ସା ପରେ ବି ବିଶେଷ କିଛି ପରିବର୍ତ୍ତନ ହେଲାନାହିଁ । ଉତ୍ତମ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାରେ ଦେଖାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ହେଲେ କଟକ ବଡ଼ ମେଡ଼ିକାଲ ନେବାକୁ ଅସମର୍ଥ ଥିବାରୁ ସେହିଦିନରୁ ଘରେକୋଣରେ ପଡିରହିଛି ବେବିନା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫କି.ମି ଦୂରରରେ ଅବସ୍ଥିତ ବେବିନାର ଗାଁ । ଗାଁର ୱାର୍ଡ ମେମ୍ବରରୁ ଆରମ୍ଭ କରି ସରପଞ୍ଚ, ପଞ୍ଚାୟତ ଅଧିକାରୀ ସମସ୍ତେ ବେବିନାର ଅବସ୍ଥା ଦେଖିଛନ୍ତି । ଏପରିକି ବେବିନାକୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ବହୁବାର ଗୁହାରୀ କରିଛନ୍ତି ପରିବାର ଲୋକ । କିଛି ଦିନ ପୁର୍ବରୁ ବ୍ଲକର ଜଣେ ଅଧିକାରୀ ଆସି ବେବିନାକୁ ଦେଖି ଯାଇଥିବା ବେଳେ ସହାୟତା ଦେବାପାଇଁ ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ଅନ୍ୟପଟେ ପାଖରେ କେବେ ସରକାରୀ ସହାୟତା ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା ।