ବିନାଶ ମୁଖରେ ସ୍ରଷ୍ଟାଙ୍କ ସୁନ୍ଦର କାରିଗରୀ ଲାଲ ଟୁକୁଟୁକୁ ସାଧବବୋହୂ  । ଆଧୁନିକତାର ଚାଦର ତଳେ କବର ନେବାକୁ ବସିଲାଣି  ରୂପ ରାଇଜର ରାଣୀ

518

କନକ ବ୍ୟୁରୋ : ବର୍ଷାର ଆଗମନରେ ନାଲି ପାଟ ପିନ୍ଧି ମନ ମୋହୁଛି ସାଧବବୋହୂରୁ ଲାଜୁଆ ଚାହାଣୀ  । ଟିକି ଟିକି ନାଲି ପାଦରେ ଏବେ ଧରାପୃଷ୍ଠରେ ନୈସର୍ଗିକ ସୁଷମାର ପସରା ମେଲାଇ ଦେଇଛନ୍ତି ପ୍ରକୃତିର ଏହି ସୁନ୍ଦର ଜୀବ । କୁନି କୁନି ନାଲି ପାଦରେ ଘାସ ଗାଲିଚାରେ ଥିରି ଥିରି ଚାଲୁଥିବା ସାଧବ ବୋହୂ ସଭିଙ୍କ ଦୃ୍ଷ୍ଟି ଆକର୍ଷଣ କରୁଛି । ଅନନ୍ୟ ସୃଷ୍ଟିର ଅପରୂପ ବିନ୍ଧାଣୀ ଏହି ସାଧବ ବୋହୂ । ବର୍ଷାର ପହିଲି ସ୍ପର୍ଶ ପାଇବା ପରେ ଧରାପୃଷ୍ଠର ଶୋଭା ବଢ଼ାଉଥିବା ଏହି ସାଧବବୋହୂ କୁନି କୁନି ପିଲାଙ୍କୁ ବେଶ୍ ପୁଲକିତ କରେ । ହେଲେ ଦୁର୍ଭାଗ୍ୟବଶତଃ ଏବେର ପ୍ରଦୂଷିତ ପରିବେଶରେ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଆଧୁନିକତାର ଚାଦର ତଳେ ଚାପି ହୋଇଯାଇଛି ଏହି ସୁନ୍ଦର ଜୀବ ।

ପହିଲି ଆଷାଡ଼ର ପହିଲି ବର୍ଷାଧାର ମାଟିକୁ ଛୁଇବା ପରେ ଧରଣୀ ରାଣୀ କୋଳରୁ ଜନ୍ମନିଏ ସାଧବବୋହୂ  । ଭିଜା ମାଟିର ବାସ୍ନା ପାଇ ଧରଣୀମା’ର ବୁକୁ ଚରି ନାଲି ରଙ୍ଗର ପସରା ମେଲିଦିଏ । ସାଧବବୋହୂର ସୌନ୍ଦର୍ଯ୍ୟ ଦେଖିଲେ ସତେ ଲାଗେ ପ୍ରକୃତି ସମସ୍ତ ଦୁଆତ ଢ଼ାଳିଦେଇଛି । ଲାଲ ଭେଲଭେଟର ମସୃଣ ଚାଦର ଧରି ଗାସଗାଲିବା ଉପରେ ଲାଜକୁଳୀର ଚାଲି ଦେଖି ଲେଖକଙ୍କୁ କଲମରୁ ଝରିପଡ଼େ କେତେ ଯେ କବିତା । ପ୍ରେମିକଟି ନିଜ ପ୍ରେମିକାକୁ ସାଧବରୂ ରୂପଲାବଣୃ ସହିତ ଯେତେବେଳେ ତୁଳନା କରି ତା’ର ରୂପ ଲାବଣ୍ୟର ବର୍ଣ୍ଣନା କରେ ସେତେବେଳେ ଲାଜେଇ ଯାଏ ମନର ନାୟିକା । ତା’ର ଅପରୂପ ସୌନ୍ଦର୍ଯ୍ୟ କେତେ ଯେ ପଥିକ ବାଟ ହୁଡ଼େ ତାହାର କଳନା ନାହିଁ । କେଜାଣି କେଉଁ ଠାରୁ ଛଟିଆସି ମେଳା ଲଗାନ୍ତିା । କବିର କଳ୍ପନା ଆଉ ଗାଳ୍ପିକର ଭାବନାରେ । ସୌନ୍ଦର୍ଯ୍ୟର ଅସରନ୍ତି ଗନ୍ତାଘର ।

ହେଲେ ଦୁର୍ଭାଗ୍ୟର ବିଷୟ ବିନାଶ ମୁଖରେ ସାଧବ ବୋହୂ ପୋକ । ଆଗାମୀ ପିଢ଼ୀଙ୍କ ପାଇଁ ବୋଧେ ଏହି ସୁନ୍ଦର ଜୀବ ଇତିହାସ ପାଲଟିଯିବ । ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ବ୍ୟବହାର ଫଳରେ ତଥା ଅସ୍ୱାଭାବିକ ପରିବେଶ ପ୍ରଦୂଷଣ ପାଇଁ ଧ୍ୱଂସ ମୁଖ୍ୟକୁ ଠେଲି ହୋଇଯାଉଛି ଏମାନଙ୍କ ବଂଶ । ବେଳରୁ ସଚେତନ ନହେଲେ ଭଗବାନଙ୍କ ସୁନ୍ଦର ସୃଷ୍ଟିର ଏହି ସୁନ୍ଦର ସାଧବ ବୋହୂକୁ ଆଉ ଦେଖିବାକୁ ମିଳିବନି ।