ଶ୍ରମିକ ସାଜିଲେ ବିଡିଓ : ଅସମ୍ପୂର୍ଣ୍ଣ ପ୍ରଧାନମନ୍ତ୍ରୀ ଆବାସ ଘର ଶେଷ କରିବାକୁ ଗାତରେ କୋଡି କୋଦାଳ ଧରି ନିଜେ କାମ କଲେ ଚନ୍ଦାହାଣ୍ଡି ବିଡିଓ

443

କନକ ବ୍ୟୁରୋ : ଶ୍ରମିକ ସାଜିଲେ ବିଡିଓ । ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗୃହ ନିର୍ମାଣ ପାଇଁ କାମ କଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବଡିଓ ଧର୍ମରାଜ ମାଝୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ବିଡ଼ିଓ ନିଜେ କାମ କରୁଥିବାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ ଏହି ବ୍ଲକର ଜମାଦାରପଡା ପଞ୍ଚାୟତ ପିପଲପଡା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମକର ସୋରୀ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ । ହେଲେ ସେ ମୂଳଦୁଆଠାରୁ ଛାତ ଉଠିବା ପର୍ଯ୍ୟନ୍ତ ଘର ନିର୍ମାଣ କରି ଛାଡି ଦେଇଥିଲେ । ଏବଂ ଶ୍ରମିକ ମିଳୁ ନଥିବାରୁ ଘର ନିର୍ମାଣ କରିପାରୁନଥିବା କହି ପ୍ରଶାସନର କଥାକୁ ଏଡାଇ ଚାଲିଥିଲେ । ଯାହାଫଳରେ ବିଡିଓ ଧର୍ମରାଜ ମାଝୀ, ପିପଲପଡା ଯାଇ ପିଇଓ ଲଛମନ ନିଆଳ ଏବଂ ଯୋଗାଣ ସହାୟକଙ୍କ ସହିତ ନିଜେ ଶ୍ରମିକଙ୍କ ଭଳି କାମ କରିଥିଲେ ।

ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ପକ୍କା ଘର ସୁନିଶ୍ଚିତ କରିବା ପାଇଁ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରୁଥିବାବେଳେ କିଛି ହିତାଧିକାରୀ ଗୃହ ନିର୍ମାଣ ନକରି ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଉଛନ୍ତି । ନିର୍ମାଣ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ବୁଝାଇବା ସତ୍ୱେ ହିତାଧିକାରୀ କର୍ଣ୍ଣପାତ କରୁନଥିବାରୁ ବିଡିଓ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।