୧୦ଦିନରେ ଭୁବନେଶ୍ୱରରେ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମଣ ବଢ଼ୁଥିବାରୁ ହାଟବଜାର ନଯାଇ ଅନଲାଇନ୍ ସୁବିଧାର ଲାଭ ଉଠାଇବାକୁ ପରାମର୍ଶ

389

କନକ ବ୍ୟୁରୋ : ଜୁଲାଇ ମାସରେ କଲବଲ ରାଜଧାନୀବାସୀ । ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚଳିତ ମାସ ଆରମ୍ଭରୁ ହୁତୁ ହୁତୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜୁନ ମାସରେ ଆୟତରେ ଥିବା ଭାଇରସ୍ ଅଚାନକ୍ ଚଳିତ ମାସରେ ରୌଦ୍ରରୂପ ଦେଖାଇ ରାଜଧାନୀକୁ ଗ୍ରାସି ଚାଲିଛି ।

ଜୁଲାଇ ୧ରୁ ଜୁଲାଇ ୧୦ମଧ୍ୟରେ ୩୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବ୍ୟକ୍ତ କରିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୬୪୦ ମାମଲା ରହିଛି ।  ସେଥିମଧ୍ୟରୁ ୩୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୩୧୭ଟି ସକ୍ରିୟ ମାମଲା ରହିଛି  । ଜୁଲାଇ ୧ରୁ ଜୁଲାଇ ୧୦ ମଧ୍ୟରେ ହିଁ ୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ହସ୍ପିଟାଲ ଲିଙ୍କରୁ ୬୧, ଟ୍ରାଭେଲ୍ ହିଷ୍ଟ୍ରି କିମ୍ବା ହଟସ୍ପଟ୍ ଜିଲ୍ଲାରୁୁ ୨୧୨ ଓ ୩୭ ଟି ମାମଲା ସ୍ଥାନୀୟ ସଂକ୍ରମିତ ।

ଆଜି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି । କରୋନା ମୁକାବିଲା ଲାଗି ଲୋକଙ୍କୁ ସତର୍କ ରହିବା ପାଇଁ କହିବା ସହ ଯଥା ସମ୍ଭବ ଘରେ ରହିବା ପାଇଁ ବିଏମସି କମିସନର ଅପିଲ କରିଛନ୍ତି । ଲୋକେ ସତର୍କ ହେଲେ ହିଁ କରୋନା ସଂକ୍ରମଣ ସଂଖ୍ୟା କମିବ ବୋଲି ସେ କହିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ କରି ସେ ଲୋକଙ୍କୁ ହାଟବଜାରକୁ ନ ଯାଇ ଅନଲାଇନରେ ଜରୁରୀ ଜିନିଷ କିଣିବା ପାଇଁ ପରାମର୍ଶ ଦେଇଛନ୍ତି ।

ଯଥା ସମ୍ଭବ ଘରେ ରହି ଏବଂ କରୋନା କଟକଣା ମାନି ଆମେ କରୋନାକୁ ହରାଇ ପାରିବ । ସଂକ୍ରମଣକୁ କମ କରିବା ପାଇଁ ହେଲେ ଆପଣଙ୍କୁ ଭିଡ ସ୍ଥାନରୁ ନିଜକୁ ଦୁରେଇ ରଖିବାକୁ ହେବ । ଏବେ ଶନିବାର ଏବଂ ରବିବାର ସଟଡାଉନ ରହୁଥିବାରୁ ଲୋକେ ପରିବା ଏବଂ ଅନ୍ୟ ଜରୁରୀ ଜିନିଷ କିଣିବା ପାଇଁ ଶୁକ୍ରବାର ପ୍ରବଳ ଭିଡ ଜମାଉଛନ୍ତି । ସାମାଜିକ ଦୂରତା ନିୟମ ମଧ୍ୟ ଉଲ୍ଲଂଘନ କରୁଛନ୍ତି, ଯାହାଦ୍ୱାରା ସଂକ୍ରମଣ ବଢୁଛି । ସେଥିପାଇଁ ନିଜକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ  ଭିଡ ସ୍ଥାନକୁ ଯିବାରୁ ବିରତ ରହନ୍ତୁ । ଅତି ଜରୁରୀ ନଥିଲେ ବାହାରକୁ ନ ଯାଇ ଅନଲାଇନରେ ପରିବା ଏବଂ ଔଷଧ ମଗାନ୍ତୁ । ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଡାକ୍ତରଖାନା ନ ଯାଇ ବିଏମସି ପକ୍ଷରୁ କରାଯାଇଥିବା  ଟେଲିମେଡ଼ିସିନ ସୁବିଧା ବ୍ୟବହାର କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।