ମାଓଗଡରେ ପଶିଲେ ସୁରକ୍ଷାକର୍ମୀ ! ପ୍ରଥମଥର ପାଇଁ ମାଲକାନଗିରି ବିଚ୍ଛିନ୍ନାଂଚଳରେ କ୍ୟାମ୍ପ କଲା ବିଏସଏଫ, ଗୁରୁପ୍ରିୟା ଦେଇ ଗଡିଲା ଭାରିଯାନ

40

କନକ ବ୍ୟୁରୋ : ମାଲକାନଗିରି ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ପାଲଟିଲା ଲାଲଗଡକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ । କାରଣ ପ୍ରଥମଥର ଲାଗି ଲାଲଗଡକୁ ଭେଦ କରିଛନ୍ତି ସୁରକ୍ଷା ବାହିନୀ । ଆଉ ବିଚ୍ଛିନ୍ନାଂଚଳରେ ପ୍ରତିଷ୍ଠା ହୋଇଛି ବିଏସଏଫ କ୍ୟାମ୍ପ । ମାଓଗଡରେ ସୁରକ୍ଷାକର୍ମୀମାନେ କଡ଼ା ନଜର ରଖିଛନ୍ତି । ଚିତ୍ରକୋଣ୍ଡା ଜନ୍ତାପାଇରେ ଭାରତୀୟ ସୀମା ସୁରକ୍ଷା ବଳ ଏକ ନୂଆ କ୍ୟାମ୍ପ ସ୍ଥାପନ କରିଛି । ଆଉ ଏଥିସହ ମାଓ ବିରୋଧୀ ଅପରେସନକୁ ଜୋରଦାର କରିବାକୁ ଅଭିଯାନ ଆରମ୍ଭ ହେବ । ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ଲାଲ ବାହିନୀର ଆଡ୍ଡା ପାଲଟିଥିବା ଦୁର୍ଗମ ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଉଦ୍ଦେଶ୍ୟ ସାଧନ ହୋଇଛି । ମାଲକାନଗିରିକୁ ସଂଯୋଗ କରୁଥିବା ଏହି ସେତୁ ଦେଇ ସୁରକ୍ଷା ବାହିନୀର ଭାରିଯାନ ଗଡିଛି । ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ସହ ନୂଆ କ୍ୟାମ୍ପରେ ପହଂଚିଛନ୍ତି ବିଏସଏଫ ଯବାନ ।

ସୂଚନାଯୋଗ୍ୟ ୫୦ ବର୍ଷ ପରେ ମାଲକାନଗିରିର ୩୦ ହଜାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସଫଳ ହେବାକୁ ଯାଉଛି । ବହୁ ବାଧାବିଘ୍ନ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥବା ଜାନବାଇ ନଦୀ ଉପରେ ହୋଇଥିବା ଗୁରୁପ୍ରିୟା ସେତୁ ଯୋଗାଯୋଗର ମାଧ୍ୟମ ପାଲଟିଛି । ନିଜ ରାଜ୍ୟରେ ନିର୍ବାସନର ଜୀବନ ଜିଉଁଥିବା ଚିତ୍ରକୋଣ୍ଡାର ୧୫୧ଟି ଗାଁ ଲୋକ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଗୁରୁପ୍ରିୟା ହେବାକୁ ଯାଉଛି ଲାଲଗଡ଼ର ଲାଇଫ୍ଲାଇନ୍ । ରାଜ୍ୟରେ ନିର୍ମାଣ ହୋଇଥିବା ଅନ୍ୟ ସେତୁ ଠାରୁ ସବୁଠାରୁ ଅଲଗା ହେଉଛି ଗୁରୁପ୍ରିୟା ସେତୁ । କାରଣ, ମାଲକାନଗିରିର ବିଚ୍ଚିନ୍ନାଞ୍ଚଳ ଚିତ୍ରକୋଣ୍ଡାର ୧୫୧ଟି ଗାଁର ଏହା ହେଉଛି ଆଶା ଭରସାର ସେତୁ । ୧୯୬୦ ମସିହା ପ୍ରାରମ୍ଭରୁ ଅର୍ଥାତ ୫୦ ବର୍ଷରୁ ଅଧିକ ବର୍ଷ ଧରି ବାହ୍ୟଜଗତରୁ ଅଲଗା ରହିଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତର ସେତୁ । ୪ ବର୍ଷ ଧରି ଅନେକ ଘାତ ପ୍ରତିଘାତ ପରେ ଶେଷରେ ନିର୍ମାଣ ହୋଇଛି ଗୁରୁପ୍ରିୟା ସେତୁ ।