କଂସ ମହାରାଜାଙ୍କ ନିର୍ଦ୍ଦେଶରେ ଦରବାରରେ ହାଜର ହେଲେ ଉତ୍ତରାଞ୍ଚଳ ଡିଆଇଜି : ସୁରକ୍ଷା ବଢାଇବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରବଳ ପ୍ରତାପୀ ମହାରାଜା

498

କନକ ବ୍ୟୁରୋ : ବରଗଡରେ ଏବେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତି । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଏକ ବଡ଼ ଆକର୍ଷଣ ହେଲା ଏଠି କଂସଙ୍କ ରାଜୁତି ସମୟରେ ସମ୍ମାନ କରେ ପ୍ରଶାସନ । କାରଣ କଂସଙ୍କ ଦରବାରକୁ ଆସନ୍ତି ପ୍ରଶାସନିକ ଅଧିକାରୀ । ଆଉ ମହାରାଜ କଂସଙ୍କ ନିର୍ଦ୍ଦେଶରେ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ସମ୍ମିତ ଜଣାନ୍ତି । ଗତକାଲି କଂସଙ୍କ ଦରବାରରେ ପହଚିଞ୍ଚିଲେ ବରଗଡ ଏସପି ପଦ୍ମିନୀ ସାହୁ ଏବଂ ଉତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ । ହାତୀ ପିଠିରେ ବସି ମହାରାଜ କଂସଙ୍କ ଦରବାରରେ ପହଞ୍ଚିବା ପରେ ବେଶ କିଛି ସମୟ ଚାଲିଥିଲା ଦରବାର ।

ଧନୁଯାତ୍ରା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି, ଯେତେବେଳେ ମଥୁରା କାରଗାରରେ ବନ୍ଦୀ ଦେବକୀଙ୍କ ଅଷ୍ଟମ ସନ୍ତାନ ଉଭାନ ହୋଇଯାଇଛି । କଡା ପ୍ରହରା ଭିତରେ କିଭଳି କାରଗାରରୁ ଚାଲିଗଲା କଂସଙ୍କ ଶତ୍ରୁ ତାକୁ ନେଇ ଉତକ୍ଷିପ୍ତ ହୋଇଯାଇଛନ୍ତି ମହାରାଜ । ଆଉ ଏଥିପାଇଁ କାରଗାରର ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଉତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ । ମହାରାଜାଙ୍କ ନିର୍ଦ୍ଦେଶ ପାଇବା ପରେ ତାକୁ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁଲିସର ଉଚ୍ଚ ଅଧିକାରୀ ।