ଜମୁଛି ବରଗଡ଼ ଧନୁଯାତ୍ରା : ତୃତୀୟ ଦିନରେ ଅଭିନୀତ ହେଲା କାରାଗୃହ ପ୍ରବେଶ ଓ ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ,ମଥୁରାରେ ଚାଲିଛି କଂସଙ୍କ ରାଜୁତି

235

କନକ ବ୍ୟୁରୋ : ଉତ୍ସବମୁଖର ଗୋପପୁର । ବରଗଡ ସହର ପାଳଟିଛି ମଥୁରା ନଗରୀ । ଚାଲିଛି ମହାରାଜ କଂସଙ୍କ ରାଜୁତି । ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ତୃତୀୟ ଦିନରେ ଅଭିନୀତ ହେଲା କାରାଗୃହ ପ୍ରବେଶ ଓ ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ । ଅନ୍ୟପଟେ ମହାରାଜ ସୁସଜ୍ଜିତ ହାତୀ ପିଠିରେ ବସି ନଗର ପରିଭ୍ରମଣ କରୁଛନ୍ତି । ଅନ୍ୟପଟେ ତାଙ୍କ ପାତ୍ରମନ୍ତ୍ରୀଙ୍କ ପାଇଁ ଆସିଛନ୍ତି ଓଟ । ଏସବୁ ଓଟ ସୁଦୂର ଉତ୍ତର ପ୍ରଦେଶରୁ ଆସିଛନ୍ତି ବରଗଡ ।

ସେପଟେ ଆନନ୍ଦରେ ଗଦଗଦ ଗୋପପୁରବାସୀ । ‘ଆହାରେ ନନ୍ଦ କୋଳେ ଗୋବିନ୍ଦ’ ଧ୍ୱନିରେ ପ୍ରକମ୍ପିତ ସାରା ଗୋପ । ଖେଳି ଯାଇଛି ଖୁସିର ଲହରୀ । ନନ୍ଦୋତ୍ସବ ସହ ନୃତ୍ୟଗୀତରେ  ବିଭୋର ହୋଇପଡ଼ିଛନ୍ତି ଗୋପପୁରବାସୀ । କୃଷ୍ଣଙ୍କ ବାଲ୍ୟଲୀଳାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ଗୋପରେ । କୃଷ୍ଣ ପ୍ରେମମୟ ଗୋପପୁର  ଫୁଲଚନ୍ଦନରେ ମଧୁମୟ ହୋଇଉଠିଛି । ଦିବ୍ୟ ମାନବରୂପୀ ଯଶୋଦାଙ୍କ ଅଳିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ରସ । ଗୋପୀ ଗୋପାଳ ମଜ୍ଜି ଯାଇଛନ୍ତି କୃଷ୍ଣ  ପ୍ରେମରେ।

ଚାରିପଟେ ରାସନୃତ୍ୟ, ନଗର ସଂକୀର୍ତ୍ତନ। ଘରକାନ୍ଥ, ବାଡ଼ ସବୁଆଡ଼େ କୃଷ୍ଣାମୃତବାଣୀ। ଘଣ୍ଟଶଙ୍ଖ, ହୁଳହୁଳି, ସଂକୀର୍ତ୍ତନରେ କୃଷ୍ଣ ଗୋପପୁର ଭ୍ରମଣ କରିଛନ୍ତି । ଗୁରୁବାର ଗୋପପୁରରେ ନନ୍ଦରାଜାଙ୍କ ମହଲକୁ ଏସ୍‌ପି ପଦ୍ମିନୀ ସାହୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ । ଏହାପରେ ସଂକୀର୍ତ୍ତନ, ଘଣ୍ଟ-ଶଂଖ, ଆଦିବାସୀ ନୃତ୍ୟ, ଢୋଲ ବାଦ୍ୟର ତାଳେ ତାଳେ  ଶୋଭାଯାତ୍ରା ବାହାରିଥିଲା । ନନ୍ଦରାଜା ଓ ରାଣୀ କୃଷ୍ଣଙ୍କୁ ଧରି ଗୋପୀଗୋପାଳଙ୍କ ସହ ଆଗେଇଥିଲେ । ବାଟରେ କୃଷ୍ଣଙ୍କୁ ଝୁଲାରେ ଝୁଲାଇଥିଲେ । ଦରବାରରେ ପହଂଚିବା ପରେ ଏସ୍‌ପି ପଦ୍ମିନୀ ସାହୁ, ଧନୁଯାତ୍ରା ମହୋତ୍ସବ ସମିତି ଆବାହକ ସୁରେଶ୍ୱର ଶତପଥୀ ଙ୍କ ସମେତ ଅତିଥିମାନେ ଏହି ଦରବାରକୁ ଉଦ୍‌ଘାଟନ କରିଥିଲେ ।