ସୁବାଷ ଚୌହାନଙ୍କ ଟିକେଟ କଟିଲା, ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ଲୋକସଭା ପ୍ରାର୍ଥୀ କଲା ବିଜେପି ! ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କଲେ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ 

789

କନକ ବ୍ୟୁରୋ : ଟିକେଟ କଟିବା ପରେ ଅସନ୍ତୋଷ ବଢ଼ିଲା । ଆଜି ମଧ୍ୟରାତ୍ରରେ ବିଜେପି ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବରଗଡ଼ ଲୋକସଭା ଆସନ ପାଇଁ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଛି ଦଳ । ଏହି ଆସନରୁ ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ସୁବାଷ ଜୋରଦାର୍ ପ୍ରୟାସ ଚଳାଇଥିଲେ । ହେଲେ ସୁବାଷଙ୍କୁ ବରଗଡ଼ରୁ ପ୍ରାର୍ଥୀ ନକରି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୋଷ ତେଜିଛି । ସୁବାଷ ଚୌହାନଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ବରଗଡ଼ ପଦ୍ମପୁର ଭେଉଁରିଆ ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଅସନ୍ତୁଷ୍ଟ କର୍ମୀ । ଏହାବ୍ୟତୀତ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହିତ ଓ ବିଜେପିର ବିଭିନ୍ନ ପଦାଧୀକାରୀଙ୍କ ବିରୋଧରେ ନାରାବାଜି ଚଳାଇଛନ୍ତି ।

ସୁବାଷ ଚୌହାନଙ୍କ ଟିକେଟ କାଟି ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ ନିର୍ବାଚନରେ ସମ୍ବଲପୁର ବଦଳରେ ବରଗଡ଼ରୁ ନିର୍ବାଚନ ଲଢ଼ିବେ ସୁରେଶ ପୂଜାରୀ । ୨୦୧୪ରେ ବିଜେପି ପକ୍ଷରୁ ସମ୍ବଲପୁରରୁ ନିର୍ବାଚନ ଲଢ଼ିଥିଲେ ସୁରେଶ ପୂଜାରୀ । ସମ୍ବଲପୁର ଲୋକସଭା ମଣ୍ଡଳୀ ପାଇଁ କାମ କରିଥିଲେ ହେଁ ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ପ୍ରାର୍ଥୀ କରାଯାଇଛି । ଗତ ନିର୍ବାଚନରେ ବରଗଡ଼ରୁ ସୁବାଷ ଚୌହାନଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ସେଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଭାଷ କୁମାର ସିଂଙ୍କ ଠାରୁ ପରାଜୟ ବରଣ କରିଥିଲେ ସୁବାଷ । ପ୍ରଭାଷଙ୍କୁ ୩,୮୩, ୨୩୦ଟି ଭୋଟ ମିଳିଥିବା ବେଳେ ସୁବାଷ ଚୌହାନଙ୍କୁ ମିଳିଥିଲା ୩,୭୨,୦୫୨ । ବିଜୟ ବ୍ୟବଧାନ କମ ଥିଲେ ହିଁ ବିଜେପି ଏଥର ପରିବର୍ତ୍ତନ କରିଛି ପ୍ରାର୍ଥୀ ।  ଆଉ  ବରଗଡ଼ ବିଜୟ ପାଇଁ ନୂଆ ସମୀକରଣ ଆପଣାଇଛି ବିଜେପି ।

ଅନ୍ୟପଟେ ଟିକେଟ ପାଇବା ପରେ ସୁରେଶ ପୂଜାରୀ କହିଛନ୍ତି, ଦଳ ଯାହା ନିଷ୍ପତ୍ତି କରିବ କୁଁ ତାକୁ ମାନିକ । ଦଳର ଏହି ନିଷ୍ପତ୍ତିକୁ ସାକାର କରିବା ପାଇଁ  ଚେଷ୍ଟାକରିବି । ବରଗଡ଼ ମୋର ଜନ୍ମଭୂମି, ଏହି ମାଟି ପାଇଁ ଅର୍ଜୁନ ପାଇଁ କାମ କରିବି । ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନର ଭୂମିକା ରହିପାରିଲା ନାହିଁ । ହେଲେ ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ବରଗଡ଼ ଲୋକସଭା ଆସନର ଭୂମିକା ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି ସୁରେଶ ପୂଜାରୀ । ଏହାସହ ସେ କହିଛନ୍ତି ଖୁବଶୀଘ୍ର ସୁବାଷ ଚୌହାନଙ୍କୁ ନେଇ ବଡ଼ ଖବର ଆସିବ ।