ବାଙ୍କୀ ତାଳବସ୍ତରେ ଶିଶୁପୁତ୍ରକୁ ମାଙ୍କଡ ମାରିଲା ନା ମଣିଷ ? ସନ୍ଦେହ ଭିତରେ ପରିବାରକୁ ତଦନ୍ତ ପରିସରଭୁକ୍ତ କଲା ପୋଲିସ

55

କନକ ବ୍ୟୁରୋ : ବାଙ୍କୀରେ ୧୫ ଦିନର ଶିଶୁର ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । ଶିଶୁମୃତ୍ୟୁ ଘଟଣାରେ ପରିବାରକୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ । ଖୁବଶୀଘ୍ର ଶିଶୁର ପରିବାରକୁ ପଚରାଉଚରା କରିବ ପୋଲିସ । ସେପଟେ ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ, କୂଅରେ ପକାଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଗ୍ରାମବାସୀ । ଚର୍ଚ୍ଚା ହେଉଛି, ଘଟଣା ପଛରେ ମାଙ୍କଡ ନୁହେଁ ମଣିଷର ହାତ ରହିଛି ।

ବାଙ୍କୀ ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟଣାରେ ତଦନ୍ତ ପରିସରଭୁକ୍ତ ହେବେ ପରିବାର । ଶିଶୁର ପରିବାରକୁ ପଚରାଉଚରା କରିବ ପୋଲିସ । କେମିତି ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାର ଖିଅ ଖୋଜିବ ପୋଲିସ । ସେପଟେ ଏହି ଘଟଣା ପରେ ଗାଁର ଜଣେ ବ୍ୟକ୍ତି ଏକ ଚାଂଚଲ୍ୟକର କଥା କହିଛନ୍ତି । ସେଦିନ ମାଙ୍କଡ ନେଇଯାଇଛି ବୋଲି ଶିଶୁର ବାପା ମନ୍ଦିରରେ ଅଧିଆ ପଡିଥିବା ବେଳେ ତାଙ୍କ ବଡ ଭାଇ ଶିଶୁଟିକୁ ନିଜ ପାଖରେ ରଖିଥିବା ନେଇ ଲୋକଙ୍କ ଆଗରେ କହିଥିଲେ । ପୁରା ଘଟଣା ଉପରେ ସନ୍ଦେହ ବଢି ବଢି ଚାଲିଛି । ତା ସହ ଅନେକ ପ୍ରଶ୍ନ ସେହିପରି ଅସମାହିତ ହୋଇ ରହିଛି ।

– ଘର ଭିତରୁ ମାଙ୍କଡ଼ ଶିଶୁକୁ ଉଠାଇ ନେଲା ବେଳେ କେହି ଦେଖି ପାରିଲେ ନାହିଁ କେମିତି ?

– ମସାରୀ ଉଠାଇ ଶିଶୁକୁ ମାଙ୍କଡ଼ ଟେକି ନେଇଥିବା କୁହାଯାଉଥିବା ବେଳେ ମସାରୀ ଓଲଟିନଥିଲା କେମିତି ?

– ପାଖରେ ଶିଶୁର ବାପା ଶୋଇଥିଲେ ସୁଦ୍ଧା ତାହା ଜାଣିପାରିଲେ ନାହିଁ କେମିତି?

– ଯଦି ଘର ପାଖ କୂଅରେ ପଡି ଶିଶୁର ମୃତ୍ୟୁ ହୋଇଥିଲା, ତେବେ ଏତେ ସମୟ ଧରି କୂଅ ଉପରେ କାହାର ନଜର ପଡିଲା ନାହିଁ କେମିତି ?

ସାରା ରାଜ୍ୟରେ ହଇଚଇ ଖେଳାଇଦେଇଥିବା ଏହି ଘଟଣା, ଶିଶୁର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆହୁରି ଅଧିକ ସନ୍ଦେହ ସୃଷ୍ଟି କରୁଛି ।