ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା : କ୍ରମାଗତ ଯନ୍ତ୍ରଣା ପରେ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର, ରାଜଧାନୀର ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ସମୟରେ ପ୍ରସୂତୀଙ୍କ ପେଟରେ କପଡା ଛାଡି ଦେଇଥିଲେ ଡାକ୍ତର

1,933

କନକ ବ୍ୟୁରୋ : ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା । କଟକର ଏକ ଘରୋଇ ହସ୍ପିଟାଲରେ ଅପରେସନ କରି ଡାକ୍ତର ଏହି କପଡାକୁ ବାହାର କରିବା ପରେ ସମସ୍ତେ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି । କପଡା କାଢିଥିବା ଡାକ୍ତର କହିଛନ୍ତି ଏହା ଚିକିତ୍ସା ସମୟରେ ଏକ ବଡ ଧରଣର ଅବହେଳା । ପୂର୍ବରୁ ମହିଳା ଜଣକ ଯେଉଁଠାରେ ପ୍ରସବ କାଳୀନ ଅସ୍ତ୍ରୋପଚାର କରାଇଥିଲେ ସେଠାରେ ଏହିପରି ଗୁରୁତର ତ୍ରୁଟି ହୋଇଥିବା ଡାକ୍ତର କହିଛନ୍ତି । ପେଟରୁ ୪ ଫୁଟ ଲଂବର ଗଜ୍ କପଡା ବାହାର କରିବା ପରେ ମହିଳା ଜଣକ ଏବେ ସୁସ୍ଥ ଅଛନ୍ତି । ଆଗ ପରି ଆଉ ପେଟ ଯନ୍ତ୍ରଣା ହେଉନାହିଁ ।

ସୂଚନା ଅନୁସାରେ ଜନୈବ ବେଗମ୍ ନାମକ ମହିଳା ଜଣକ , ରାଜଧାନୀର ଏକ ଘରୋଇ ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ଏହା ପରେ କିନ୍ତୁ ତାଙ୍କ ପେଟରେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଦିନକୁ ଦିନ ଏହି ଯନ୍ତ୍ରଣା ବଢିବାରେ ଲାଗିଲା । ଏପରିକି ସେ ଭଲ ଭାବେ ଠିଆ ହୋଇ ଚାଲି ପାରୁ ନଥିଲେ । ଅଲଟ୍ରାସାଉଣ୍ଡରୁ ଜଣାପଡିଥିଲା ତାଙ୍କ ପେଟ ଭିତରେ କିଛି ବାହ୍ୟ ସାମଗ୍ରୀ ରହିଯାଇଛି ।

କଟକରେ ଏକ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ଥରେ ଅସ୍ତ୍ରୋପଚାର କରାଯାଇଥିଲା । ଫଳରେ ତାଙ୍କ ପେଟରୁ ବାହାରିଥିଲା ୪ ଫୁଟର ଗଜ୍ କପଡା । ଏହି କପଡା ଆହୁରୀ ଅଧିକ ଦିନ ରହିଥିଲେ ମହିଳାଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା ବୋଲି ଡାକ୍ତର କହିଛନ୍ତି । ମହିଳା ଜଣକ ଏବେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

Comments are closed.