ପଙ୍କ ପୋଖରୀରେ ପଦ୍ମ ! ହସ୍ପିଟାଲରେ ପଡିଛି ହତ୍ୟା ଅପରାଧୀର ମେଧାବୀ ଝିଅ, ମାଆକୁ ହତ୍ୟା ପରେ ଝିଅ ଉପରେ ଆକ୍ରମଣ କରିଥିଲା ସଇତାନ୍ ବାପା

89

କନକ ବ୍ୟୁରୋ : ବାପା ହତ୍ୟାକାରୀ, ହେଲେ ଝିଅ ଖୁବ୍ ମେଧାବୀ । ଏମିତି ଏକ କାହାଣୀ ଆପଣଙ୍କୁ ହୁଏତ ଅଡୁଆ ଲାଗିପାରେ । ଏ କାହାଣୀ ହେଲା ବାଲିପାଟଣାର ପୂଜା ସାହୁଙ୍କର । ଯିଏ ମାଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଚଳିତବର୍ଷ ପାସ୍ ହୋଇଛନ୍ତି । ହେଲେ ବାପାର ଗୋଟିଏ ଭୁଲ ପାଇଁ ଉଜୁଡି ଯାଇଛି ପରିବାରର ଖୁସି । ମା’ ଆରପାରିକୁ ଚାଲିଯାଇଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ଝିଅ ।

ଘରୋଇ କଳିର ପରିଣାମ କେତେ ସାଂଘାତିକ୍ ହୋଇପାରେ ତାହା ପୂଜାଙ୍କୁ ଦେଖିଲେ ହୁଏତ ଆପଣ ଅନୁମାନ କରିପାରିବେ । ବାପା ଜେଲରେ, ମା’ ଆରପାରିରେ ଆଉ ଜୀବନ ସହ ସଂଗ୍ରାମ କରୁଛନ୍ତି କୁନି ଝିଅ । ଯିଏ ପାଠଶାଢ଼ ପଢ଼ି ମା’-ବାପାଙ୍କ ଟେକ ରଖିବ ବୋଲି ସ୍ୱପ୍ନ ଦେଖୁଥିଲେ, ଆଜି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।

ସମ୍ବାଦ ପକ୍ଷରୁ ସମ୍ମାନିତ ହେବାର ଠିକ୍ ପର ଦିନ ପୂଜାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଗଲା, ଯାହା ତାଙ୍କ ଜୀବନର ମୋଡକୁ ପୁରା ବଦଳାଇ ଦେଇଛି । ଟଙ୍କା-ପଇସାକୁ ନେଇ ମା’ ରୀନା ସାହୁ ଏବଂ ବାପା ବାମଦେବ ସାହୁଙ୍କ ମଧ୍ୟରେ ଅଚାନକ୍ ଝଗଡ଼ା ହେଲା । ବଚସା ଏତେ ତୀବ୍ର ହେଲା ଯେ, ଏଥିରେ ଉତକ୍ଷିପ୍ତ ହୋଇ ମା’ ଏବଂ ଝିଅକୁ ମରଣାନ୍ତକ ଆକ୍ରମଣ କରିଦେଲେ ବାମଦେବ । ଏଥିରେ ମା’ସବୁ ଦିନ ପାଇଁ ଆଖି ବୁଜି ଦେଇଥିବା ବେଳେ ଝିଅକୁ ମରଣ ମୁହଁକୁ ଠେଲି ଦେଇଛି ଜନ୍ମ ଦେଇଥିବା ବାପା ।

ପରିବାର ଲୋକଙ୍କ ଏହି ଅବସ୍ଥା ଦେଖି କିଛି ବୁଝିପାରୁନି ପୂଜାର ଭାଇ ରୁଦ୍ର । ମା’ ଛାଡ଼ି ଚାଲିଗଲେ ଭଉଣୀ ହସ୍ପିଟାଲରେ, ଏସବୁ କଥା ଭାବି କେବଳ ଆଖିରୁ ଲୁହ ଗଡ଼ାଉଛି ରୁଦ୍ର । ଏପଟେ ପୂଜା ପଢୁଥିବା ନିମାପଡ଼ା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଏବଂ ଗୁରୁଜୀ-ଗୁରୁମାଙ୍କୁ ସ୍ତମ୍ବୀଭୂତ କରିଦେଇଛି । ମେଧାବୀ ଛାତ୍ର ଥିବା ପୂଜାର ଚିକିତ୍ସା ପାଇଁ ଯଥାସମ୍ଭବ ସହଯୋଗର ହାତ ବଢ଼ାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।