କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ଦଶଦିନ ଧରି ଚାଲିବ । ଆଜି ସଂଧ୍ୟାରେ ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା କଟକ ଉତ୍ସବ-୨୦୧୮ ଉଦଘାଟନ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଶେଷ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
୧୦ ଦିନ ଧରି ହେବାକୁ ଥିବା ଏହି ବାଲିଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ମଂଚରେ ପାରମ୍ପାରିକ ଲୋକନୃତ୍ୟ ସମେତ ପ୍ରତିଷ୍ଠିତ କଂଠଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ସଂଗୀତ ଭିତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ସେପଟେ ବାଣିଜ୍ୟିକ ମେଳା ପାଇଁ ଏଯାଏଁ ୧୦୮୬ଟି ପ୍ଲଟ୍ ଆବଂଟିତ ହୋଇସାରିଛି । ଓରମାସ ପକ୍ଷରୁ ବି ତଳ ପଡିଆରେ ୩୮୦ଟି ସ୍ୱତନ୍ତ୍ର ଷ୍ଟଲ୍ ରହିଛି । ଏଥର ଦର୍ଶକ କିଣାକିଣି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଉପଭୋଗ କରିପାରିବେ । ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଉଦଯାପନୀ ହେବ ।
ସେପଟେ ଆଜିଠୁ ଆରମ୍ଭହେଉଛି ଭୁବନେଶ୍ୱର ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ପ୍ରଥମ ଥର ପାଇଁ ବାଲିଯାତ୍ରା ହେଉଛି । ନଭେମ୍ବର ୨୩ରୁ ୮ଦିନ ଧରି ଚାଲିବ ବାଲିଯାତ୍ରା । ରାଜଧାନୀବାସୀ କିଣାକିଣି ସହ ପ୍ରତି ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବେ । ସ୍ଥାନୀୟ ୫୫ଟି ଗ୍ରାମର ଗ୍ରାମବାସୀ ଏବଂ ଭୁବନେଶ୍ୱରର ସମସ୍ତ ଦୂର୍ଗାପୂଜା କମିଟିର ସଦସ୍ୟ ମିଳିତ ଭାବେ ଏହାର ଆୟୋଜନ କରୁଛନ୍ତି । ମେଳା ସ୍ଥଳରେ ୫ଶହରୁ ଅଧିକ ଷ୍ଟଲ୍ କରାଯାଇଛି ।