କନକ ବ୍ୟୁରୋ : ସ୍ବାସ୍ଥ୍ୟ ସେବା ପାଇଁ ବାଲିପାଟଣା ବ୍ଲକର ଏକମାତ୍ର ଭରସା ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ମାତ୍ର ରବିବାର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ଠପ୍ ହୋଇଯାଇଥିଲା । ଡାକ୍ତର ଶ୍ରୀମୟ ମିଶ୍ରଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ରୋଗୀମାନେ ମେଡିକାଲ୍କୁ ଆସି ଦୀର୍ଘସମୟ ଧରି ଅପେକ୍ଷା କରିକରି ଶେଷରେ ଘରକୁ ଫେରିଥିଲେ । ଔଷଧ ଦୋକାନରୁ ନିଜ ରୋଗ ସମ୍ପର୍କରେ କହି ଔଷଧ ନେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେ ରାଜସର ସବ୍ ମେଡିକାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଫୋନ୍ କରିଥିଲେ ।
ମାତ୍ର ସେ କାର୍ଯ୍ୟରେ ଯୋଗଦେବାରେ ବିଳମ୍ବ ହେବାରୁ ଘଣ୍ଟାଘଣ୍ଟା ଅପେକ୍ଷା କରି ବହୁ ରୋଗୀ ଫେରିବାକୁ ବାଧ୍ୟ ହୋଇଥିଲେ । ଏହା ମଧ୍ୟରେ ଗର୍ଭବତୀ, ଝାଡ଼ାବାନ୍ତି ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତକାଲି ମଧ୍ୟ ଅନୁରୂପ ସମସ୍ୟା ଭୋଗିବାକୁ ପଡ଼ିଥିଲା । ଡ୍ରେସିଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଝାଡ଼ୁଦାର ଡ୍ରେସିଂ କାମ ତୁଲାଇଥିଲେ । ଏହା ଖୋଦ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଂଜନ ହାତୀ ସ୍ବୀକାର ମଧ୍ୟ କରିଛନ୍ତି ।
ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୨୦ରୁ ଊର୍ଧ୍ବ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀଙ୍କୁ ହଟହଟା ହେବାକୁ ପଡ଼ିଛି । ଗୁରୁତର ରୋଗୀଙ୍କୁ କିପରି ଚିକିତ୍ସା କରାଇବେ ଚିନ୍ତାରେ ପଡିଯାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏମିତି କି କ୍ବାର୍ଟର ଦିଆଯାଇଥିଲେ ମଧ୍ୟ କେହି ସେଠାରେ ରହୁନାହାନ୍ତି । ତେଣୁ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ମଧ୍ୟ ଲୋକେ ଉପକୃତ ନେଇପାରୁନାହାନ୍ତି ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ୫ ଜଣ ଡାକ୍ତରଙ୍କ ମଧ୍ୟରୁ ୨ ଜଣ ଛୁଟିରେ ଚାଲିଯାଇଛନ୍ତି । ଆଜି ବି ଜଣେ ଡାକ୍ତର ରୋଗୀ ସେବା ଭାର ସମ୍ଭାଳିଥିଲେ । ପୂର୍ବାହ୍ନ ୧୦ଟା ସୁଦ୍ଧା ୮୦ ଜଣ ରୋଗୀ ଟିକେଟ୍ କରିଥିବା ବେଳେ ପ୍ରାୟ ୩୦/୪୦ ଜଣ ଶିଶୁ, ବୃଦ୍ଧ, ମହିଳା ରୋଗୀ ଲାଇନରେ ଛିଡ଼ା ହୋଇ ରହିଥିଲେ । ଡ୍ରେସିଂ କର୍ମଚାରୀ ଅନୁପସ୍ଥିତ ଥିବାରୁ ଝାଡ଼ୁଦାର ରୋଗୀଙ୍କ ଡ୍ରେସିଂ କରିଥିଲେ । ଗତକାଲି ଡ୍ରେସର କୌଣସି କାରଣରୁ ନଆସିବାରୁ ଠିକା ଭିତ୍ତିକ ଝାଡୁଦାର ଗୁରୁତର ରୋଗୀଙ୍କ ଡ୍ରେସଂ କାମ ସମ୍ପାଦନ କରିଥିଲେ। ପିଣ୍ଡାରେ ହିଁ ରୋଗୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ଡାକ୍ତରଖାନା ପରିସରରେ ପିଇବା ପାଣିର ସଙ୍କଟ ମଧ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି ।
ଏମିତିକି ସପ୍ତାହକୁ ଦୁଇଦିନ ରାତି ଡ୍ୟୁଟି କରିବାକୁ ଡାକ୍ତରମାନଙ୍କୁ କୁହାଯିବାରୁ ସେମାନେ ଛୁଟିରେ ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ହାତୀ କହିଛନ୍ତି । ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଅବସ୍ଥା ଯୋଗୁ ୩ଟି ସବ୍ ସେଣ୍ଟରରେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ରାଜନୈତିକସ୍ତରରେ ପ୍ରୟାସ କରାଯାଇ ତୁରନ୍ତ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି ହେଉଛି । ବାରମ୍ବାର ଏ ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ କେବଳ ରାଜନୈତିକସ୍ତରରେ ଚାପ ପଡ଼ିଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି ଡା. ହାତୀ କହିଛନ୍ତି ।