ଆହାର ଯୋଗାଉଛି ଆଖୁ : ବାଲେଶ୍ୱର ବସ୍ତା ଅଞ୍ଚଳରେ ଆଖୁରୁ ଗୁଡ ରାନ୍ଧି ପରିବାର ଚଳାଉଛନ୍ତି ୨ଶହରୁ ଅଧିକ ପରିବାର

155

କନକ ବ୍ୟୁରୋ : ଆଖୁରୁ ଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୨୦୦ ପରିବାର । ଆଖୁ ଏକ ଲାଭ ଦାୟକ ଫସଲ । ଆଖୁରୁ ପ୍ରସ୍ତୁତ ରସ ଏବଂ ଗୁଡ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ଉପସମ ମିଳିଥାଏ । ଆଖୁ ରସ ଏବଂ ଗୁଡ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି । ଆଉ ଏହି ଗୁଡ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଆଖୁଚାଷୀ ।

ଆଖୁ ପୋଶୁଛି ପରିବାର । ଆଖୁରୁ ଗୁଡ ପ୍ରସ୍ତୁତ କରି ଗୁଜୁରାଣ ମେଂଟାଉଛନ୍ତି ୨୦୦ ପରିବାର । ଆଖୁକୁ ପେଡି ଆଖୁ ରସକୁ ରାନ୍ଧି ଗୁଡ ପ୍ରସ୍ତୁତ କରିଥାନ୍ତି ବସ୍ତା ବ୍ଲକ ଗିଲାଯୋଡି ଗ୍ରାମର ଆଖୁ ଚାଷୀ । ଉତ୍ତର ବାଲେଶ୍ୱରର ଜୀବନ ରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ଅବବାହିକା ଅଖୁ ଚାଷ ପାଇଁ ପ୍ରକୃଷ୍ଠ କ୍ଷେତ୍ର । ନଦୀର ପଟୁ ମାଟିରେ ହେଉଥିବା ଆଖୁ ଅଧିକ ରଶାଳ, ସ୍ୱାଦିଷ୍ଟ ଏବଂ ମିଠା ହୋଇଥିବାରୁ ଏହି ଚାଷକୁ ଆପଣେଇ ନେଇଛନ୍ତି ଗିଲାଯୋଡି ଗାଁର ଲୋକେ । ଜିଲ୍ଲାରେ ଆଖୁ ଚାଷ ପାଇଁ ସରକାରୀ ପ୍ରୋତ୍ସାହନର ଅଭାବ ସାଙ୍ଗକୁ ଉଚିତ୍ ବଜାର ନଥିବାରୁ ଚାଷୀଙ୍କୁ ନିରାସ ହେବାକୁ ପଡୁଥିବା କହିଛନ୍ତି ।

ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରାୟ ୩୦ ଏକର ଜମିରେ ଆଖୁଚାଷ କରିଛନ୍ତି ଗ୍ରାମବାସୀ । ୧ ଏକର ଜମିରେ ଆଖୁ ଚାଷ ପାଇଁ ଖର୍ଚ୍ଚ ହୁଏ ୭୦ରୁ ୮୦ ହଜାର ଟଙ୍କା । ଆଖୁରୁ ଆୟ ହୁଏ ୧ ଲକ୍ଷ ୩୦ରୁ ୪୦ ହଜାର ଟଙ୍କା । ୧ ଏକର ଆଖୁରୁ ପ୍ରାୟ ୩୫ରୁ ୪୦ କ୍ୱିଂଟାଲ ଗୁଡ ପ୍ରସ୍ତୁତ ହୁଏ । ଆଉ ସେହି ଗୁଡ ପ୍ରସ୍ତୁତ ପାଇଁ ଖର୍ଚ୍ଚ ହୋଇଥାଏ ୨୫ ହଜାର ଟଙ୍କା । ଚାଷୀଙ୍କ ଠାରୁ ଗୁଡ  କ୍ୱିଂଟାଲ ପିଛା ୪ ହଜାର ଟଙ୍କାରେ କିଣି ବଜାରରେ ୫ ରୁ ୭ ହଜାର ଟଙ୍କାରେ ବିକିଥାନ୍ତି ବ୍ୟବସାୟୀ । ଚାଷୀ ଅଧିକ ପରିଶ୍ରମ କରେ ଆଉ ବ୍ୟବସାୟୀ ଅଧିକ ଲାଭପାଏ ।

ବସ୍ତା ଗିଲାଯୋଡି ଅଞ୍ଚଳର ଗୁଡ ବାଲେଶ୍ୱର ସମେତ ମୟୁରଭଞ୍ଜ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରୀ ହୋଇଥାଏ । ହେଲେ ଏବେ ବଜାରକୁ ପଶ୍ଚିମବଙ୍ଗରୁ ନକଲି  ଏବଂ କେମିକାଲ ଯୁକ୍ତ ଗୁଡ ଆସୁଥିବାରୁ ବ୍ୟବସାୟ କମ ହେଉଥିବା କହିଛନ୍ତି ଚାଷୀ ।