ବାଲେଶ୍ୱରରୁ ଆମେରିକା : ଦେଶ ପାଇଁ ଗୌରବ ଆଣିଲେ ଯୁବ ପ୍ରତିଭା, ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇ ଅନ୍ତର୍ଜାତୀୟ ଫଟୋଗ୍ରାଫି ପୁରସ୍କାର ପାଇଲେ ଶ୍ରୀତମ ସେଠୀ । 

986
କନକ ବ୍ୟୁରୋ : ଦେଶ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ୱରର ଯୁବ ପ୍ରତିଭା । ବିନା ପ୍ରଶିକ୍ଷଣରେ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇ ଅନ୍ତର୍ଜାତୀୟ ଫଟୋଗ୍ରାଫି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବାଲେଶ୍ୱରର ଶ୍ରୀତମ ସେଠୀ ।  ଆମେରିକା ନିିୟୁର୍କ ସିଟିରୁ ଲୁସି ଆୱାର୍ଡ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ପୁରସ୍କାର ଗ୍ରହଣ କରିବା ପାଇଁ ଯାଇପାରି ନାହାନ୍ତି ଶ୍ରୀତମ ।
ହାତରେ ଥିଲା ଆଣ୍ଡ୍ରଏଡ୍ ମୋବାଇଲ୍, ଆଉ ଏହି ମୋବାଇଲ୍ କ୍ୟାମେରାରେ ଶ୍ରୀତମ ଉଠାଇଥିଲେ ଫଟୋ । ବାଲେଶ୍ୱରରେ ଉଠାଯାଇଥିବା ଫଟୋ ଆମେରିକାର ନ୍ୟୁୟର୍କରେ ପାଇଛି ସମ୍ମାନ । ଆଉ ଏହି ସଫଳତା ବାଲେଶ୍ୱର ଶୋଭାରମପୁର ଅଂଚଳର ଶ୍ରୀତମ ସେଠୀଙ୍କୁ ନୂଆ ପରିଚୟ । ଅନ୍ତର୍ଜାତୀୟ ସ୍ତରର ଫଟୋଗ୍ରାଫି ପ୍ରତିଯୋଗୀତାରେ ସେ ଯେଉଁ ସଫଳତା ପାଇଁଛନ୍ତି ତାହା ରାଜ୍ୟ ତଥା ଦେଶ ପାଇଁ ଗୌରବ ।

ମାଟ୍ରିକ ପାସ କରିବା ପରେ ଫଟୋ ଉଠାଇବା ପ୍ରେମରେ ପଡିଥିଲେ ଶ୍ରୀତମ । ଯେତେବେଳେ ହାତରେ କ୍ୟାମେରା ପଡୁଥିଲା ଆଖପାଖର ଦୃଶ୍ୟକୁ କଏଦ କରୁଥିଲେ । କିନ୍ତୁ ଟିକେ ନିଆରା ଆନ୍ଦାଜରେ । ଫଟୋ ଯେଭଳି ଅନେକ କଥା କହିପାରିବ ତାରି ଉପରେ ରହୁଥିଲା ଲକ୍ଷ୍ୟ । ଆଉ କିଛି ଭିନ୍ନ କରିବାର ଚିନ୍ତାଧାରା ଶେଷରେ ଆଣିଦେଇଛି ଅନ୍ତର୍ଜାତୀୟ ସ୍ତରରୁ ସଫଳତା । ଯାହା ଦିନେ ସେ ଭାବି ନଥିଲେ ।
ଅନ୍ତର୍ଜାତୀୟ ସ୍ତରରୁ ସମ୍ମାନ ମିଳିଲା ସତ, ହେଲେ ଏହାକୁ ଗ୍ରହଣ କରିବାକୁ ସୁଦୂର ଆମେରିକା ଯାଇ ପାରିଲେ ନାହିଁ ଶ୍ରୀତମ୍ । ଠିକ ସମୟରେ ପାସପୋର୍ଟ ହୋଇ ନପାରିବାରୁ ଏହି ବିରଳ ସୁଯୋଗ ହାତ ଛଡା ହୋଇଗଲା । ହେଲେ ଶ୍ରୀତମଙ୍କ ସଫଳତା ବର୍ତମାନର ଯୁବପିଢୀଙ୍କୁ ଗୋଟିଏ ବାର୍ତା ଦେଉଛି, ସଫଳତା ପାଇଁ ପ୍ରଶିକ୍ଷଣ ନୁହେଁ ନିଜ ଭିତରେ ସଫଳ ହେବାର ଭୋକ ରହିବା ଦରକାର ।