ନୃଶଂସ ପ୍ରେମିକର ଅମାନବୀୟ କାଣ୍ଡ : ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ବ୍ଲେଡରେ କାଟି ପକାଇଲା ପ୍ରେମିକାର ବେକ ଓ କାନ

487

କନକ ବ୍ୟୁରୋ : ବାଲେଶ୍ୱର ବାଲିଆପାଳରୁ ଆସିଲା ଅଭାବନୀୟ ଖବର । ଯେଉଁ ଝିଅକୁ ପ୍ରେମ କରୁଥିଲା ସେହି ଝିଅର ଗଳା କାଟି ଦେବାପାଇଁ ସାମାନ୍ୟ ପଛଘୁଂଚା ଦେଲାନାହିଁ ଜହ୍ଲାଦ ପ୍ରେମିକ । ବାଲିଆପାଳର ଜଣେ ନାବାଳିକାଙ୍କ ସହିତ ରଙ୍ଗ୍ ନମ୍ବରରେ କଥାବାର୍ତ୍ତା ପରେ ଏକ ଅଜଣା ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଚିହ୍ନା ଯୁବକକୁ ବିଶ୍ୱାସ କରି ବିବାହ କରିବା ପାଇଁ ପ୍ରେମିକ ସହ ଘରୁ ଚାଲିଆସିଥିଲେ ଏହି ନାବାଳିକା । ହେଲେ ବିବାହ ପୂର୍ବରୁ ପ୍ରେମିକ ଜଣକ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ସେ ଏହାକୁ ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ନୃଶଂସ ପ୍ରେମିକ ଏକ ବ୍ଲେଡରେ ତାଙ୍କ ଗଳା ଓ କାନକୁ କାଟି ପକାଇଥିବା ଅଭିଯୋଗ ହୋଇଛି । ଏପରିକି ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ନାବାଳିକାଙ୍କୁ ମଧୁପୁରା ପଂଚାୟତ ହାସିମପୁରରେ ଏକ ନିଛାଟିଆ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲା ପ୍ରେମିକ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ୱର ହସପିଟାଲରେ ଭର୍ତି କରିଛନ୍ତି । ନାବାଳିକାଙ୍କଠୁ ଫୋନ ନମ୍ବର ନେଇ ତାଙ୍କ ଘର ଲୋକଙ୍କୁ ଯୋଗାଯେଗା କରାଯାଇଛି । ପୋଲିସ ଖବର ପାଇ ପୁରା ମାମଲାର ଛାନଭିନ ଚଳାଇଛି ।