ବାଲେଶ୍ୱରରେ ବାଣ ବିସ୍ଫୋରଣ ଘଟଣାରେ ବାହାବଳପୁର ଆଇଆଇସି ନିଳମ୍ବିତ ! ଘଟଣାସ୍ଥଳକୁ ଯାଇଥିବା ବେଳେ ଅଟକ ରଖିଲେ ଉତ୍ୟକ୍ତ ଲୋକେ

35

କନକ ବ୍ୟୁରୋ : ବାଲେଶ୍ୱର ସଦର ବ୍ଲକ ବାହାବଳପୁର ବିସ୍ଫୋରଣ ଘଟଣାରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସି ସନ୍ତୋଷ ବେହେରାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଆଜି ନିଲମ୍ବିତ ଆଇଆଇସି ଘଟଣାସ୍ଥଳକୁ ଯାଇଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି । ଗାଁଲୋକେ ତାଙ୍କୁ ଅଟକ ରଖିଛନ୍ତି । ଗତକାଲି ବାହାବଳପୁରରେ ବାଣ ଭିଡିବାବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା ।

ଏଥିରେ ୮ ଜଣ ଜଳିଯାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ୮ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଡାକ୍ତରଖାନା ଯିବା ବାଟରେ ଏବଂ ଡାକ୍ତରଖାନାରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ହୋଇଥିବା ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କ ଶରୀର ୫୦ ଭାଗରୁ ଅଧିକ ପୋଡି ଯାଇଥିବା ଜଣାପଡିଛିି । ସମସ୍ତଙ୍କୁ କଟକ ଏସସିବି ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ ବାହାବଳିପୁରର ଗୋଳକ ବିହାରି ପ୍ରଧାନଙ୍କ ଘରେ ଦୀପାବଳି ପାଇଁ ବାଣ ତିଆରି କାର୍ଯ୍ୟbalasore fire cracker blast ଜୋରଦାର ଚାଲିଥିଲା । ଅପରାହ୍ନ ୪ଟା ୧୫ରେ କୌଣସି କାରଣରୁ ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ ଚାହୁଁ ଚାହୁଁ ଘରଟି ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା । ଚାଳ ଘର ହୋଇଥିବାରୁ ନିଆଁ ସାଂଗେ ସାଂଗେ ବ୍ୟାପିବାରେ ଲାଗିଥିଲା । ପାଖରେ ଏକ ପାଳ ଗଦା ଥିବାରୁ ନିଆଁ ଅଣାୟତ ହୋଇଥିଲା । ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଗୋଲକ ବିହାରିଙ୍କ ପରିବାର ଲୋକଙ୍କ ସମେତ କିଛି କାରିଗର ଏବଂ ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ ।

ଘରେ ଯେଉଁମାନେ ଥିଲେ, ସେମାନଙ୍କ ପକ୍ଷରେ ଅଗ୍ନିକାଣ୍ଡରୁ ବର୍ତିବା ସହଜ ନଥିଲା । ଦମକଳବାହିନୀ ନିଆଁକୁ ଆୟତ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତେବେ ନିଆଁ ସହଜରେ ଲିଭିନଥିଲା । ଆଉ ୮ଜଣଙ୍କ ଜୀବନ ଚାଲିଗଲା । ଘଟଣା ପାଇଁ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସି ସନ୍ତୋଷ ବେହେରାଙ୍କୁ ସସପେଣ୍ଡ କରାଯାଇଛି । ସେପଟେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।