କନକ ବ୍ୟୁରୋ : ବାଲେଶ୍ୱରରେ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଏସସିବିରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ରାମପଦ ମାଇତି ଓ ନିମାଇଲାଲ ପ୍ରଧାନ । ଗତକାଲି ବାଣ ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତିକରାଯାଇଥିଲା ।

Advertisment

ଆଜି ୩ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୧ରେ ପହଂଚିଛି । ଏବେ ବି ଗୁରୁତର ଅବସ୍ଥାରେ ଆଉ ୫ ଜଣ ଏସସିବିରେ ଚିକିତ୍ସିତ ହେଉଛନ୍ତି । ବାଣ ବିସ୍ଫୋରଣ ଘଟଣାରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସି ସନ୍ତୋଷ ବେହେରାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି ।

ସେପଟେ ଆଜି ନିଲମ୍ବିତ ଆଇଆଇସି ଘଟଣାସ୍ଥଳକୁ ଯାଇଥିବାବେଳେ ସେଠାରେ ଉତେଜନା ଦେଖାଦେଇଥିଲା । ଗାଁଲୋକେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଗାଁରେ ଏବେ ବି ଉତେଜନା ପରିସ୍ଥିତି ଥିବା ଯୋଗୁଁ ପୁଲିସ ମୁତୟନ କରାଯାଇଛି । ଗତକାଲି ବାହାବଳପୁରରେ ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଡାକ୍ତରଖାନା ଯିବା ବାଟରେ ଏବଂ ଡାକ୍ତରଖାନାରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ।