ବାଲେଶ୍ୱର ଚନ୍ଦନେଶ୍ୱର ପୀଠରେ ଚାଲିଛି ଚଡକ ମେଳା ! ଆଜି ବାବାଙ୍କର ମହାନୀଳ ପର୍ବ

91

କନକ ବ୍ୟୁରୋ : ବାଲେଶ୍ୱର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ମେଳା । ଆଜି ଏହି ମେଳାର ନୀଳପର୍ବ ନୀତି ଅନୁଷ୍ଠିତ ହେବ । ନୀଳ ପୁଷ୍କରିଣୀରେ ସ୍ନାନ କରି ନୀଳପର୍ବରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି । ଭକ୍ତଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ।

ଗିନିଜ୍ ବୁକରେ ସ୍ଥାନିତ ହୋଇଛି ଓଡିଶାର ଦ୍ୱିତୀୟ ବୃହତମ ଗଣପର୍ବ ଚୈତ୍ର ଚଡକ ଯାତ୍ରା । ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱରଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ୧୩ ଦିନ ଧରି ମାନସିକଧାରୀ ପଇତା ଧାରଣ କରି ନିଷ୍ଠାର ସହ ଭୋଳାଶଙ୍କରଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଗୁରୁବାର ଏହି ଚଡକ ଯାତ୍ରାର ଦ୍ୱାଦଶ ଦିବସ ତଥା ମହାନୀଳ ପର୍ବ । ନୀଳ ପର୍ବରେ ଚନ୍ଦନେଶ୍ୱରଙ୍କ ପୀଠରେ ଥିବା ନୀଳ ପୁଷ୍କରିଣୀରେ ସ୍ନାନ କରି ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କ ଠାରେ ଜଳାଭିଷେକ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଶୁକ୍ରବାର ତଥା ଚଡକ ପର୍ବ ଶେଷ ଅର୍ଘ୍ୟରେ ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ ଅନୁଷ୍ଠିତ ହେବ । ନୀତି ନୀୟମ ଅନୁସାରେ ୧୩ଟି ଅର୍ଘ୍ୟରେ ଚଡକ ଯାତ୍ରା କରାଯାଏ । ଏହି ଯାତ୍ରାର ଅନେକ ମହତ୍ୱ ଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଜଳେଶ୍ୱର ଚଡକ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।