ରାଜ୍ୟ ବାହାରେ ରାଜ୍ କରୁଛି ବାଲେଶ୍ୱର ପାନ : ବିହାର, ଝାରଖଣ୍ଡ, ଦିଲ୍ଲୀ, ମୁମ୍ବାଇ ଓ ଗୁଜୁରାଟରେ ବଢୁଛି ବାଲିଆପାଳ ପାନର ଚାହିଦା, ଲାଭ ପାଉଛନ୍ତି ବ୍ୟବସାୟୀ କ୍ଷତି ସହୁଛନ୍ତି ଚାଷୀ

479

କନକ ବ୍ୟୁରୋ : ଚାଷୀଙ୍କ ପେଟ ପୋଷୁଛି ପାନ । ପଇସା ଦେଉଛି ପାନ ଚାଷ । ରାଜ୍ୟ ବାହାରେ ରାଜ୍ କରୁଛି ବାଲେଶ୍ୱର ବାଲିପାଳରୁ ଆମଦାନୀ ହେଉଥିବା ପାନ । ଓଡିଶା ସମେତ ବିହାର, ଝାରଖଣ୍ଡ, ଦିଲ୍ଲୀ, ମୁମ୍ବାଇ ଓ ଗୁଜୁରାଟରେ ବାଲିଆପାଳ ପାନର ବେଶ ଚାହିଦା ରହିଛି । ହେଲେ ପାନ ପତ୍ର ବିକ୍ରି କରି ବ୍ୟବସାୟୀ ଲାଭବାନ ହେଉଥିବା ବେଳେ କ୍ଷତି ସହୁଛନ୍ତି ପାନ ଚାଷୀ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ, ଡଗରା, ନାରାୟଣପୁର, ଅଳାଡିଆ, ନୂଆଗାଁ, ଜମ୍ଭିରାଇ ପଂଚାୟତର ଲୋକେ ମୁଖ୍ୟତଃ ପାନ ଚାଷ ଉପରେ ନିର୍ଭର କରିଥାନ୍ତି । ଆଉ ଏଠାରୁ ଅମଳ ହେଉଥିବା ପାନ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ବିହାର, ଝାରଖଣ୍ଡ, ଦିଲ୍ଲୀ, ମୁମ୍ବାଇ ଓ ଗୁଜୁରାଟ ଭଳି ରାଜ୍ୟରେ ବିକ୍ରି ହେଉଛି । ବଙ୍ଗୋପସାଗର ଉପକୂଳବର୍ତୀ ବାଲିଆପାଳ ଅଂଚଳର ଜଳବାୟୁ ପାନ ଚାଷ ପାଇଁ ବେଶ୍ ଉପଯୋଗୀ । ସେଥିପାଇଁ ଏଠାକାର ଚାଷୀ ପାନ ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି ।

ଏହି ଅଂଚଳର ଚାଷୀ ୨ ପ୍ରକାରର ପାନଚାଷ କରିଥାନ୍ତି । ଦେଶୀ ଓ ଚନ୍ଦ୍ରକଣା ନାମକ ପାନ ଚାଷ ହୋଇଥାଏ । ତେବେ ଦେଶୀ ଅପେକ୍ଷା ଚନ୍ଦ୍ରକଣା ପାନରେ ଅଧିକ ଲାଭ ମିଳୁଛି । ମୁଖ୍ୟତଃ ନଭେମ୍ବର ଓ ମାର୍ଚ୍ଚ ମାସରେ ଚାରା ରୋପଣ କରାଯାଏ । ରୋପଣର ୫ମାସ ପରେ ପାନ ଆମଦାନୀ ହୋଇଥାଏ । ବରଜରେ ୧୦୦୦ ଚାରା ଲଗାଇବାକୁ ୧୨ରୁ ୧୫ହଜାର ଟଙ୍କା ଖର୍ଚ୍ଚ କରନ୍ତି ଚାଷୀ । ସେହି ଅନୁପାତରେ ପାନ ବିକ୍ରି ମଧ୍ୟ ହୋଇଥାଏ । ଚାଷୀ, ୪ହଜାର ଅର୍ଥାତ୍ ୮୦କଡା ପାନକୁ ବ୍ୟବସାୟୀଙ୍କୁ ୨ରୁ୩ ହଜାର ଟଙ୍କାରେ ବିକ୍ରି କରିଥାନ୍ତି । ଏବଂ ସେହି ପାନକୁ ବ୍ୟବସାୟୀମାନେ ଓଡିଶା ବଜାରରେ ୮ରୁ ୧୦ହଜାର ଏବଂ ରାଜ୍ୟ ବାହାରେ ୧୨ରୁ ୧୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ସେପଟେ ବାଲିଆପାଳ ଅଂଚଳରେ ପାନଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବାରୁ ଏହାର ସ୍ୱାଦ ଭଲ ଥିବାରୁ ଚାହିଦା ବଢୁଛି ।

ତେବେ ସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆହୁରି ଅଧିକ ଲୋକ ପାନ ଚାଷ ପ୍ରତି ମନ ବଳାନ୍ତେ ବୋଲି ମତ ପ୍ରକାଶ ପାଉଛି ।