ଆଗ ଅପରାଜିତା, ଏବେ ବୈଜୟନ୍ତ ! ନେତାଙ୍କ ମିଶ୍ରଣ ବିଜେପି ପାଇଁ ହେବ କି ଅନୁକୂଳ ?

949

କନକ ବ୍ୟୁରୋ : ବିଜେପି ରାଜ୍ୟ ରାଜନୀତିରେ ନୂଆ ସମୀକରଣର ଆଭାସ । ପଦ୍ମ ଧରିବେ ବୈଜୟନ୍ତ । ପ୍ରଥମେ ଅପରାଜିତା ଷଡ଼ଙ୍ଗୀ ଆଉ ଏବେ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ରେ ମୋଦିଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବେ ବୋଲି ଶୁଣିବା ପାଇଁ ମିଳୁଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ  ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।

ଆଗାମୀ ନିର୍ବାଚନ ପାଇଁ ବିଜେପି କଷୁଥିବା ୧୨୦ ଅଙ୍କରେ ବାଜିବ ନୂଆ ମୋହର । ବୈଜୟନ୍ତ ପଣ୍ଡା ଦଳରେ ଯୋଗଦେବା ପରେ ରାଜ୍ୟ ବିଜେପିରେ ଏହା ଏକ ସକରାତ୍ମକ ବାତାବରଣ ସୃଷ୍ଟି ହେବ । ପ୍ରଥମେ ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଦଳରେ ମିଶିବା ଯୋଗୁଁ  ବିଜେପିର ପଲା ଭାରି ଅଛି । ଆଉ ଏବେ ବିଜେଡ଼ିର ପୂର୍ବତନ ଦକ୍ଷ ତଥା ଟାଣୁଆ ନେତା ବୈଜୟନ୍ତ ପଣ୍ଡା ଦଳରେ ଯୋଗଦେଲେ ବିଜେପି ପାଇଁ ନୂତନ ଆଶାର ସଂଚାର କରୁଛି । ବୈଜୟନ୍ତ ପଣ୍ଡା ଦଳରେ ଯୋଗ ଦେବା ପରେ ଦଳ ଆହୁରି ମଜଭୁତ ହେବ ବୋଲି କୁହାଯାଉଛି । ଓଡ଼ିଶାରେ ବିଜେପିର ୧୨୦ ମିଶନକୁ ବଳ ମିଳିବ ବୋଲି ମଧ୍ୟ କୁହାଯାଉଛି । ଦୁଇ ଜଣ ଟାଣୁଆ ନେତାକୁ ପାଇ ବିଜେପି ଅଧିକ ସଂଗଠିତ ହେବା ସହ ଶକ୍ତିଶାଳୀ ହେବ । ତେବେ ବୈଜୟନ୍ତ ପଣ୍ଡା ଦଳରେ ମିଶିବା ପରେ ବିଜେଡ଼ିକୁ ଶକ୍ତ ଝଟକା ଲାଗିବ ବୋଲି କୁହାଯାଉଛି ।

 ଅପରାଜିତାଙ୍କ ପରେ ବୈଜୟନ୍ତ ବିଜେପିରେ ଯୋଗଦେଲେ ୧୨୦ ମିଶନ ପାଇଁ ସ୍ଥିତି ଅନୁକୂଳ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ଆକଳନ କରୁଛନ୍ତି । ନିକଟରେ ବିଜେପି ଛାଡ଼ିଥିବା ଦୁଇ ତୁଙ୍ଗ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଶୂନ୍ୟସ୍ଥାନ କିଛିକାଂଶରେ ପୂରଣ ହେବ ବୋଲି କୁହାଯାଉଛି । ଉଭୟ ନେତା ଦଳ ଛାଡ଼ିବା ପରେ ରାଜ୍ୟରେ ବିଜେପିର ସ୍ଥିତି ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦଳରେ ମିଶିବା ଖବର ଆସିବା ପରେ ନୂଆ ଆଶାର ସଂଚାର ହେଉଛି ।  ଗୋଟିଏ ପଟେ ଦୁଇ ଦକ୍ଷ ନେତାଙ୍କୁ ହରାଇଛି ଦଳ ଅନ୍ୟପଟେ ଜଣେ ଲୋକପ୍ରିୟ ପ୍ରଶାସନିକ ଅଧିକାରୀ ଆଉ ଏବେ ଜଣେ ଦକ୍ଷ ନେତାକୁ ପାଇବ ଦଳ ।

 

ବର୍ତ୍ତମାନ ସମୟରେ ସେ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ରାଜ୍ୟର କୋଣ ଅନୁକୋଣ ବୁଲି ‘ହେଇଯାଉ’ ଚା’ ଚର୍ଚ୍ଚା କାର୍ଯକ୍ରମ ଜରିଆରେ ନିଜର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କ ମତାମତ ନେଇଛନ୍ତି ବୈଜୟନ୍ତ ପଣ୍ଡା । ବିଭିନ୍ନ ବର୍ଗର ଲୋକଙ୍କ ସହ ଯାଇ ଚା ଖଟିରେ ଆଲୋଚନା କରୁଛନ୍ତି । ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ମନ କଥା ଜାଣିବା ପାଇଁ ଚେଷ୍ଠା କରୁଛନ୍ତି । ଯାହା ବିଜେପି ପାଇଁ ଆଉ ଏକ ପ୍ଲସ୍ ପଏଂଟ ହୋଇପାରିବ ।

ସୂଚନାଯୋଗ୍ୟ ବୈଜୟନ୍ତ ପଣ୍ଡା ପୂର୍ବରୁ ମଧ୍ୟ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା । ଆଉ ଏନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଲ ଲୋକଙ୍କୁ ସ୍ୱାଗତ କରାଯିବ ବୋଲି ମଧ୍ୟ କହିଥିଲେ ।