ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତତି ଆରମ୍ଭ : ଆଜି ୩ ରଥର ହେବ ଦକ୍ଷିଣ ମୋଡ

193

କନକ ବ୍ୟୁରୋ : ଆଡପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର । ଆଜିଠୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତିନିରଥର ଦକ୍ଷିଣ ମୋଡ ହେବ । ସେପଟେ ମହାପ୍ରଭୁ ସାଙ୍ଗରେ ଆଣିନଥିବାରୁ ଅଭିମାନରେ ରଥ ଭାଙ୍ଗିଛନ୍ତି ମା ଲକ୍ଷୀ । ଗତକାଲି ଆଡ଼ପ ମଣ୍ଡପରେ ଦର୍ଶନ ଚାଲିଥିବା ବେଳେ ମନ୍ଦିର ପୋଲିସଙ୍କୁ ସେବାୟତ ମାଡ଼ ମାରିଛନ୍ତି । ଏହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ମନ୍ଦିରର ନୀତିକାନ୍ତି ୨ଘଂଟା ବିଳମ୍ବ ହୋଇଥିଲା । ଏହି ଗଣ୍ଡଗୋଳ ପାଇଁ ଲକ୍ଷ୍ମୀଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ ବିଳମ୍ବିତ ହୋଇଥିଲା । ଗତକାଲି ରାତି ପ୍ରାୟ ୯ଟା ବେଳେ ବଡ଼ ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ପୁଅ ବାବୁନି ଯାତ୍ରୀଙ୍କୁ ନେଇ ଆଡ଼ପ ଦର୍ଶନ ପାଇଁ ଯାଇଥିଲେ ।

ଗର୍ଭଗୃହ ଶୃଙ୍ଖଳା ଦାୟିତ୍ୱରେ ଥିବା ଜେପିଟି ସୁଦର୍ଶନ ସାହୁ ଗହଳି ବଢୁଥିବାରୁ ଭିତର କାଠରୁ ଭକ୍ତଙ୍କୁ ଖାଲି କରୁଥିଲେ । ଏହି ସମୟରେ ବାବୁନି ଏବଂ ସୁଦର୍ଶନଙ୍କ ସହ ଯୁକ୍ତିତର୍କ ହୋଇ କଥା କଟାକଟି ହୋଇଥିଲା । ପରେ ସୁଦର୍ଶନ ସାହୁ ବେହରଣ ଦ୍ୱାର ଡ଼୍ୟୁଟିରେ ଥିବା ସମୟରେ ବାବୁନି ତାଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତ ଏବଂ ଜେପିଟିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶୁଦର୍ଶନ ସାହୁଙ୍କୁ ମାଡ଼ ମାରିବା ପରେ କାମ ବନ୍ଦ କରି ଏହାର ପ୍ରତିବାଦ କରିଥିଲେ ଜେପିଟି । ଏହାକୁ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଦୁଇ ପକ୍ଷଙ୍କୁ ଡ଼ାକି ବୈଠକ କରିଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରିପାରି ନାହିଁ ।