କନକ ବ୍ୟୁରୋ : ଜାତୀୟ ରାଜପଥରେ କଳାପଲସର ଆତଙ୍କ ବଢ଼ିବାରେ ଲାଗିଛି । ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନାଭାଲ୍ ଛକ ନିକଟରେ ଜଣେ ମହିଳା ଦୁର୍ବୃତ୍ତଙ୍କ ଲୁଟ୍ ବେଳେ ବାଇକ୍ରୁ ଖସି ମୃତ୍ୟୁବରଣ କରିଛନ୍ତି । ନିଜର ଜଣେ ସମ୍ପର୍କୀୟଙ୍କ ସହିତ ମହିଳା ଜଣକ ବାଇକ୍ରେ ଯାଉଥିବା ବେଳେ କଳା ପଲସରରେ ଆସି ଦୁର୍ବୃତ୍ତମାନେ ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ବେଳେ ମହିଳା ଜଣକ ଭାରସାମ୍ୟ ହରାଇ ତଳେ ପଡ଼ିଯିବା ସହିତ ପ୍ରାଣ ହରାଇଥିବା ଜଣାଯାଇଛି ।

Advertisment

ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଚିକିଲି ଗ୍ରାମର ମୋଚିରାମ ମହାନ୍ତିଙ୍କ ପତ୍ନୀ ମଞ୍ଜୁବାଳା ମହାନ୍ତି (୩୫) ନିଜର ସଂପର୍କୀୟ କୈଳାସ ମଲ୍ଲିକଙ୍କ ସହ ବାଣପୁର ଅଞ୍ଚଳରେ ଥିବା ବଉଳାବନ୍ଧସ୍ଥିତ ନିଜ ଭଉଣୀ ଘରକୁ ଆସୁଥିଲେ । ବାଲୁଗାଁ ଥାନା ନାଭାଲ ଛକର ଛତ୍ରଗଡ଼ ଓଭରବ୍ରିଜ୍ ନିକଟରେ ସେମାନେ ଆସୁଥିବା ବେଳେ ଏକ କଳା ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଞ୍ଜୁବାଳାଙ୍କ ଭ୍ୟାନିଟି ବ୍ୟାଗଟି ଝାମ୍ପି ନେଇଥିଲେ । ଏହି ସମୟରେ କୈଳାସ ବାଇକ୍ ଉପରେ ନିୟନ୍ତ୍ରଣ ହରାଇବାରୁ କୈଳାସ ଓ ମଞ୍ଜୁବାଳା ବାଇକ୍ରୁ ଛିଟିକି ପଡ଼ି ରାସ୍ତାରେ ପଡ଼ିଯାଇଥିଲେ।

ତେବେ ମଞ୍ଜୁବାଳାଙ୍କ ମୁଣ୍ତ ରାସ୍ତାରେ ପିଟି ହୋଇଯିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣପୁର ଡାକ୍ତରଖାନାକୁ ପଠା ଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଡାକ୍ତରଙ୍କଠାରୁ ସୂଚନା ପାଇ ବାଣପୁର ଓ ବାଲୁଗାଁ ପୁଲିସ ମଞ୍ଜୁବାଳାଙ୍କ ପରିବାରକୁ ଖବର ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି  । ଏହି ଘଟଣାରେ ପୁଲିସ୍ ଲୁଟେରାଙ୍କ ଟେର୍ ପାଇ ପାରି ନାହିଁ । ଅନ୍ୟପକ୍ଷରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ କହିଛନ୍ତି ଯେ କୈଳାସଙ୍କ କଥାରେ ତାଳମେଳ ରହୁ ନଥିବାରୁ ତାଙ୍କୁ ଅଧିକ ପଚରାଉଚୁରା କରାଯାଉଛି  ।