ଅଡୁଆ ହେଲା ପ୍ରଧାନ ଶିକ୍ଷକ ଦେଇଥିବା ଚରିତ୍ର ପଞ୍ଜିକା : କଳାହାଣ୍ଡିରେ ୩ ଶହ ଟଙ୍କା ଚାନ୍ଦା ନଦେବାରୁ ବ୍ୟାଡ୍ କ୍ୟାରେକ୍ଟର ଲେଖିଲେ ପ୍ରଧାନ ଶିକ୍ଷୟିତ୍ରୀ

85

କନକ ବ୍ୟୁରୋ : ମାତ୍ର ତିନିଶହ ଟଙ୍କା ଚାନ୍ଦା ପାଇଁ ଦୁଇ ଛାତ୍ରଙ୍କ ଭବିଷ୍ୟତରେ କଳାଦାଗ ଲଗାଇ ଦେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ମେଟ୍ରିକ ପାସ ଦୁଇ ଛାତ୍ର ସ୍କୁଲରେ ଆଦାୟ କରାଯାଉଥିବା ଚାନ୍ଦାକୁ ବିରୋଧ କରିବାରୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଦର୍ଶାଇଛନ୍ତି । ଫଳରେ ଛାତ୍ର ଦୁଇ ଜଣଙ୍କ ଉଚ୍ଚ ଶିକ୍ଷା ପାଇଁ ବାଧା ଉପୁଜୁଛି ।

କଳାହାଣ୍ଡିର ମାଟ୍ରିକ ପାସ୍ କରିଥିବା ଦୁଇ ଛାତ୍ରଙ୍କ ସହ ଏପରି ଘଟିଛି । ଯେଉଁଠି କଲେଜ ଯିବା ବାଟରେ ପ୍ରତିବନ୍ଧକ ସାଜିଛି ସ୍କୁଲ ପ୍ରଧାନ ଶିକ୍ଷକ ଦେଇଥିବା କ୍ୟାରେକ୍ଟର ସାର୍ଟିଫିକେଟ୍ । ମାଟ୍ରିକ୍ ପାସ୍ କରିବା ପରେ ଦୁଇ ଛାତ୍ର ଦେବେନ୍ଦ୍ର ସାହୁ ଓ ଦୁଲେଶ୍ୱର ସାହୁଙ୍କ ଉଚ୍ଚ ଶିକ୍ଷା ପାଇଁ ଉପୁଜୁଛି ସମସ୍ୟା ।

ଛାତ୍ରଙ୍କ ସ୍କୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଉଲ୍ଲେଖ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲରେ ବୋର୍ଡ ସାର୍ଟିଫିକେଟ ଓ ଲିଭିଂ,କଂଡକ୍ଟ ସାର୍ଟିଫିକେଟ୍ ବାବଦକୁ ଆଦାୟ କରାଯାଉଥିବା ଚାନ୍ଦାକୁ ବିରୋଧ କରିବାରୁ, ଛାତ୍ରଙ୍କ ସାର୍ଟିଫିକେଟ୍ ଚରିତ୍ର କଲମରେ ଲେଖାଯାଇଥିବା ‘ଗୁଡ୍’କୁ, ରାଉଣ୍ଡ ବୁଲାଇ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଲେଖାଯାଇଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଛାତ୍ର ।

ଅନ୍ୟପକ୍ଷରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନି ଶତପଥି ଚାନ୍ଦା ଆଦାୟ ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଖରାପ ଚରିତ୍ର ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସଫେଇ ଦେଇଛନ୍ତି । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ସହ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

କୁହାଯାଏ ଶିକ୍ଷକ ଭଗବାନଙ୍କ ଅନ୍ୟରୂପ । ଆଉ ଯଦି ସେହି ଶିକ୍ଷକ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳନ୍ତି, ତେବେ ଶିକ୍ଷାନୁଷ୍ଠାନର ଅନୁଶାସନକୁ ନେଇ ଛାତ୍ରଙ୍କ ମନରେ ଉଠେ ଅନେକ ପ୍ରଶ୍ନ ।  ‘ଗୁଡ୍’ରେ ଗୋଲ ବୁଲାଇ ଶିକ୍ଷକଙ୍କୁ ଖରାପ୍ ବ୍ୟବହାର, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଧମକ ଦେବାକୁ ଉଦ୍ୟମ । ତାଙ୍କର ଖରାପ ଚରିତ୍ର ବୋଲି ଲେଖାଯାଇଛି ।