ରାମ ମନ୍ଦିର ନିର୍ମାଣ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ ମନ୍ତବ୍ୟ ! କହିଲେ,କୋର୍ଟ ବାହାରେ ଉଭୟ ପକ୍ଷ ଆଲୋଚନ କରନ୍ତୁ

24

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି, ଏହି ବିବାଦର ସମାଧାନ କୋର୍ଟ ବାହାରେ ଉଭୟ ପକ୍ଷ ବସି ଆଲୋଚନା ଜରିଆରେ କରନ୍ତୁ । ଯଦି ସମାଧାନ ହୋଇପାରୁ ନାହିଁ ତେବେ ସୁପ୍ରିମକୋର୍ଟ ଅଛନ୍ତି । ଦରକାର ହେଲେ ଦୁଇ ପକ୍ଷ ମଧ୍ୟରେ ସୁପ୍ରିମକୋର୍ଟର ବିଚାରପତି ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଚିଫ ଜଷ୍ଟିସ ଜେ.ଏସ. ଖେହର ।

ବିବାଦୀୟ ରାମଜନ୍ମଭୂମି ମାମଲାର ଶୁଣାଣି କରି ତୁରନ୍ତ ରାୟ ପ୍ରକାଶ କରିବାକୁ ଆବେଦନ କରିଥିଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଧର୍ମ ଓ ଆସ୍ଥା ସହ ଜଡିତ ବୋଲି ନିଜ ମନ୍ତବ୍ୟରେ କହିଛନ୍ତି ସୁପ୍ରିମକୋର୍ଟ । ତେଣୁ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଆସନ୍ତା ଶୁକ୍ରବାର ଯାଏ କୋର୍ଟ ସମୟ ଦେଇଛନ୍ତି । କିନ୍ତୁ ଯଦି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ନହୁଏ ତେବେ ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ସୁପ୍ରିମକୋର୍ଟଙ୍କ ଆଦେଶ ବିନା ରାମ ମନ୍ଦିର ପ୍ରସଙ୍ଗରେ ବୁଝାମଣା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ । ଏ ସଂପର୍କରେ ସେ ପୂର୍ବରୁ ମଧ୍ୟ ମୁସଲିମ୍ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ ବିନା ବୁଝାମଣା କଲେ ତାଙ୍କ ସଂପ୍ରଦାୟର ଲୋକେ ତାଙ୍କୁ ସନ୍ଦେହ କରିବେ ବୋଲି ମୁସଲିମ୍ ନେତା କହିଥିବା ସ୍ୱାମୀ କହିଛନ୍ତି ।

ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମଦ ହାସିମ୍ ଅନସାରୀଙ୍କ ପୁଅ ମହମଦ ଇକବାଲ ଅନସାରୀ । ରାମମନ୍ଦିର ଓ ବାବ୍ରୀ ମସଜିଦ୍ ମାମଲାକୁ ପ୍ରଥମେ ଅଦାଲତକୁ ନେଇଥିଲେ ମହମଦ ହାସିମ୍ ଅନସାରୀ । ତେବେ ତାଙ୍କ ପୁଅ ଇକବାଲଙ୍କ କହିବା କଥା ହେଲା ମାମଲା କୋର୍ଟରେ ବିଚାରାଧିନ ରହିଛି । କିନ୍ତୁ ଯଦି ଉଭୟ ସଂପ୍ରଦାୟ ଚାହିଁବେ ତେବେ ବୁଝାମଣା ସମ୍ଭବ ହୋଇପାରିବ ।