୩୦ ମିନିଟରେ ଆସିଲା ୭୦ ବର୍ଷ ବିବାଦର ସମାଧାନ : ରାମଲାଲାଙ୍କୁ ମିଳିବ ୨ ଦଶମିକ ୭ ଏକରର ବିବାଦୀୟ ଜମି, ଶାନ୍ତି ଶୃଙ୍ଖଳା ପାଇଁ ଚାରିଆଡେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା 

767

କନକ ବ୍ୟୁରୋ : ଅଯୋଧ୍ୟା ମାମଲାରେ  ଆସିଲା ବଡ଼ ରାୟ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଫିଟିଲା ବାଟ । ମାତ୍ର ୩୦ ମିନିଟରେ ୭୦ ବର୍ଷ ବିବାଦର ସମାଧାନ ହୋଇଛି । ରାମ ଜନ୍ମଭୂମି ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିର ନିର୍ମାଣ ପାଇଁ ରାମ ଲାଲକୁ ମିଳିବ ୨ ଦଶମିକ ୭ ଏକର ବିବାଦୀୟ ଜମି । ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରଷ୍ଟ ବୋର୍ଡରେ ନିର୍ମୋହୀ ଆଖଡା ପ୍ରତିନିଧିତ୍ୱ ରହିବେ । ବିବାଦୀୟ ଜମି ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରିବେ କେନ୍ଦ୍ର ସରକାର ।

ସୁପ୍ରିମକୋର୍ଟ ସାମ୍ବାଧାନିକ ଖଣ୍ଡପୀଠର ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ ବିବାଦୀୟ ଜମିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ସେପଟେ ମୁସଲିମ୍ ପକ୍ଷକୁ ଅନ୍ୟ ସ୍ଥାନରେ  ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁନୀ ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅଯୋଧ୍ୟା ବିବାଦର ରାୟ ପାଠ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଅପୂର୍ଣ୍ଣ ସୂଚନା ଓ କାଳ୍ପନିକ ବୋଲି କହି ଏଡ଼ାଇ ହେବନାହିଁ । ବାବ୍ରି ମସଜିଦ୍ ଫାଙ୍କା ଜମି ଉପରେ ନିର୍ମାଣ କରାଯାଇ ନ ଥିଲା । ହିନ୍ଦୁମାନଙ୍କର ନିର୍ମିତ କୌଣସି ଢାଞ୍ଚା ରହିଛି ବୋଲି ପ୍ରତ୍ନତତ୍ତ୍ୱକ ପ୍ରମାଣ ମିଳୁଛି । ଖନନରୁ ଯାହା ମିଳିଛି ସେଠି ଇସଲାମିକ ଢାଂଚା ନଥିଲା । ଏଏସଆଇ ରିପୋର୍ଟ କହୁଛି ସେଠାରେ ପୂର୍ବରୁ ମନ୍ଦିର ଥିଲା । ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣର କୌଣସି ଉଲ୍ଲେଖ ନାହିଁ । ଜମି ଉପରେ କବଜା ନେଇ ପ୍ରମାଣ ଦେବାରେ ମୁସଲମାନ ପକ୍ଷ ବିଫଳ ହୋଇଛନ୍ତି । ପରିବ୍ରାଜକ ଏବଂ ଐତିହାସିକମାଙ୍କ ବର୍ଣ୍ଣନାରେ ଉଲ୍ଲେଖ ଅଛି ଯେ ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ।