ଭାଇରସ୍ ମୁକାବିଲା ପାଇଁ ସତର୍କତା ଓ ସଚେତନତା ନିହାତି ଆବଶ୍ୟକ : ମାଥିଲିର ଆଦିବାସୀପଡା ଗାଁରେ ଘର ଘର ବୁଲି ସତର୍କ କଲେ ଡାକ୍ତରୀ ଦଳ, ନୂଆପଡାରେ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ଯୁବତୀ

396

କନକ ବ୍ୟୁରୋ : ସହର ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି କରୋନା ଆତଙ୍କ । ଆଦିବାସୀ ଗାଁ ଗଣ୍ଡାରେ ମଧ୍ୟ କରୋନା ଭାଇରସ୍କୁ ନେଇ ଭୟଭୀତ ଗ୍ରାମବାସୀ । ଲୋକଙ୍କ ମନରେ ସୃଷ୍ଟି ହୋଇଥିବା କରୋନା ଆତଙ୍କ ଦୂର କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଲୋକଙ୍କ ସଚେତନ ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସାରା ରାଜ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ, ଡାକ୍ତରୀ ଦଳ, ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଅଂଟା ଭିଡିଛନ୍ତି ।

ସତର୍କ ଓ ସ୍ୱଚ୍ଛତା ବଜାୟ ରଖିଲେ କରୋନା ଭୂତାଣୁକୁ ପ୍ରତିହତ କରି ହେବ । କେମିତି ସ୍ୱଚ୍ଛତା ବଜାୟ ରଖିବେ? ଭୂତାଣୁ ଠାରୁ ଦୂରେଇବା ପାଇଁ କ’ଣ କରିବ? ମାଲକାନଗିରି ମାଥିଲି ବ୍ଲକର ବିଭିନ୍ନ ଆଦିବାସୀ ପଡା ଗାଁରେ ଘରକୁ ଘର ବୁଲି ବୁଝାଇଛନ୍ତି ଡାକ୍ତର ଅମୀୟ କୁମାର ସ୍ୱାଇଁ । ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଆଦିବାସୀ ଗାଁରେ ବୁଲି ସାବୁନରେ ହାତ ସଫା କରିବା, ଗୋଟିଏ ସ୍ଥାନରେ ଏକାଠି ନହେବା, ପରସ୍ପର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୧ ମିଟର ଦୂରତା ରକ୍ଷା କରିବା, କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଅବହେଳା ନକରି ତୁରନ୍ତ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଦଳ । ଏହାସହ ମାଥିଲି ବ୍ଲକରେ ଶତାଧିକ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଇଥିବା କହିଛନ୍ତି ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ।

ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ସମସ୍ତେ ଲାଗିଛନ୍ତି । ବାଲେଶ୍ୱର ବସ୍ତା ଅଂଚଳରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଲୋକଙ୍କୁ ସଚେତନ କରାଉଛନ୍ତି । ମୁକୁଳୁସି ପଂଚାୟତବାସୀଙ୍କୁ ସତର୍କ କରାଇବା ପାଇଁ ମହିଳାମାନେ ହାତରେ ପ୍ଲା-କାର୍ଡ ଧରି ଗାଁ ଗାଁ ବୁଲିଛନ୍ତି । ଏବଂ ଭୁତାଣୁକୁ ନେଇ ଭୟଭିତ ନହୋଇ ସଚେତନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ବଲାଙ୍ଗୀର କଂଟାବାଞ୍ଜିରେ ବିଧାୟକଙ୍କ ସଚେତନତା କାର୍ଯ୍ୟକ୍ରମ । କଂଟାବାଂଜି ଏନଏସି ପକ୍ଷରୁ ସ୍ଥାନୀୟ ନୋଡାଲ ସ୍କୁଲରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜେ ସାବୁନରେ ହାତ ଧୋଇବା ସହ ଭାଇରସ ଠାରୁ ଦୂରେଇ ରହିବା ପାଇଁ ହାତ ଧୋଇବା ଜରୁରୀ ବୋଲି କହିଛନ୍ତି ବିଧାୟକ ସନ୍ତୋସ ସିଂ ସାଲୁଜା ।

ଗାଁ ଗାଁରେ ବୁଲି ‘କରୋନା’ ସଚେତନତା ସୃଷ୍ଟି କଲେ କିଶୋରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡାରୁ । ଜିଲ୍ଲା ସଦର ବ୍ଲକ ଗୌତମ ଗାଁରେ ଝିଅମାନେ ନାଟକ ମାଧ୍ୟମରେ ସଚେତନତା ବାର୍ତା ବାଂଟୁଛନ୍ତି । ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସକୁ ନଡରି କିଭଳି ଛୋଟ ଛୋଟ ଉପାୟରେ ସଂକ୍ରମଣକୁ ପ୍ରତିହତ କରିହେବ ତାକୁ ନେଇ ସଚେତନତା କରାଯାଉଛି ।