କରୋନା ସହ ଲଢେଇ କରୁଛି ଓଡିଶା : ଗାଁରେ ଗାଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ, ନାରା ଦେଉଛନ୍ତି କରୋନା ହଟିବ ଗାଁ ବଞ୍ଚିବ

583

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ କନ୍ଧମାଳରେ ବି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଂଚାଇବାକୁ ବାଲିଗୁଡା ଉପଖଣ୍ଡର ୯ଟି ବ୍ଲକରେ ବିଭିନ୍ନ ବିଭାଗର ଅଧିକାରୀ ସଚେତନତାର ବାର୍ତା ବାଂଟୁଛନ୍ତି । ସଚେତନ କରିବା ଲାଗି ଡାକବାଜି ଯନ୍ତ୍ର, ପୋଷ୍ଟର ଓ ଲିପଲେଟ ବି ବ୍ୟବହାର କରାଯାଉଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ସଚେତନ କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନୱାଡି କର୍ମୀ ବି ସାମିଲ ହୋଇଛନ୍ତି । ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତାଙ୍କୁ ନେଇ ବାଲିଗୁଡା ଉପଜିଲ୍ଲାପାଳ ବୈଠକ କରିଛନ୍ତି ।

ସେପଟେ ଭାରତରେ କରୋନା ଭୂତାଣୁ ଆକ୍ରାନ୍ତ ସଂଖ୍ୟାରେ ଆଉ ଗୋଟିଏ ବୃଦ୍ଧି ହୋଇଛି । ମୁମ୍ୱାଇର ଜଣେ ୨୨ ବର୍ଷୀୟ ମହିଳାଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁ । ମୁମ୍ୱାଇର ଯେଉଁ ମହିଳାଙ୍କ ଠାରୁ କରୋନା ଭୂତାଣୁ ଠାବ ହୋଇଛି ସେ ନିକଟରେ ବ୍ରିଟେନରୁ ଫେରିଥିଲେ । ସେହିପରି ଦୁବାଇରୁ ଫେରିଥିବା ଜଣେ ମହିଳାଙ୍କ ଠାରେ ମଧ୍ୟ ଆଜି କରୋନା ପଜିଟିବ୍ ରିପୋର୍ଟ ଆସିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ହୋଇଛି । ସାରା ଦେଶରେ ଏହି ସଂଖ୍ୟା ୧୭୨କୁ ବୃଦ୍ଧି ହୋଇଛି ।

ଅନ୍ୟପଟେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ଟପିଥିବା ବେଳେ ଏକ ଭଲ ଖବର ବି ରହିଛି । ତା ହେଉଛି ପ୍ରାୟ ୮୪ ହଜାର ୩୪୦ ଜଣ କରୋନା ମୁକ୍ତ ହୋଇଛନ୍ତି । ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ପରେ ଏତେ ସଂଖ୍ୟାରେ ଲୋକ ବର୍ତ୍ତମାନ ସୁଦ୍ଧା କରୋନା ମୁକ୍ତ ହୋଇପାରିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ କରୋନା ମୁକ୍ତ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବା ବେଳେ ଏପରି ଖବର ବିରାଟ ଆଶା ସଞ୍ଚାର କରିଛି । ଚିକିତ୍ସା ବିଜ୍ଞାନ ବର୍ତ୍ତମାନ ସୁଦ୍ଧା କରୋନା ନେଇ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାର କରିପାରିନଥିଲେ ମଧ୍ୟ, ସଚେତନତା ସ୍ୱଛତା ଓ ଚିକିତ୍ସା ବଳରେ ଏହାକୁ ଭଲ କରାଯାଇପାରିବ ବୋଲି ଆଶା ସଂଚାର ହୋଇଛି ।