ରାଜନୀତିରେ ‘ଆଭେଞ୍ଜର୍ସ : ଏଣ୍ଡଗେମ’ ! ସପା ମୁଖ୍ୟ କହିଲେ, ଆରମ୍ଭ ହୋଇଯାଇଛି ବିଜେପିର ଅନ୍ତିମ ଖେଳ

161

କନକ ବ୍ୟୁରୋ : ମେ ୨୩ରେ ଆସିବ ୨୦୧୯ ମହାସମରର ଫଳାଫଳ । ଜାତୀୟ ଦଳ ଗୁଡ଼ିକ ଠାରୁ ଆରମ୍ଭ କରି ଆଚଳିକ ଦଳ ଗୁଡ଼ିକ ବିଜୟ ବାନା ଉଡ଼ାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଜୋରସୋରରେ ପ୍ରଚାର ସହ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ବିଜେପି ତଥା ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ମୋଦି ସରକାର ମଧ୍ୟ ପୁଣି ଥରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ପୁରା ଜୋର ଲଗାଇ ଦେଇଛନ୍ତି । ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ସପା ମୁଖ୍ୟ ଅଖିଲେଶ ଯାଦବ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ସପା ମୁଖ୍ୟ ।

ବର୍ତ୍ତମାନ ସମୟରେ ଲୋକପ୍ରିୟ ସିନେମା ଆଭେଞ୍ଜର୍ସ ଏଣ୍ଡଗେମ ସିନେମା ଟିକେଟ ପାଇଁ ସାରା ଦୁନିଆରେ ଦର୍ଶକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଟିକେଟ୍ ପାଇବା ପାଇଁ ଲାଗୁଛି ଲମ୍ବା ଲାଇନ୍ । ଆଉ ଏଥିମଧ୍ୟରେ ସମାଜବାଦି ପାର୍ଟି ନେତା ଅଖିଲେଶ ଯାଦବ ଭିନ୍ନ ଭର୍ସନର ଏଣ୍ଡଗେମକୁ ନେଇ ଟ୍ୱିଟ କରିଛନ୍ତି । ଅଖିଲେଶ କହିଛନ୍ତି, ଉତ୍ତରପ୍ରଦେଶରେ ବିଜେପିର ଏଣ୍ଡଗେମ୍ ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ ଲୋକସଭା ସିଟ୍ ସଂଖ୍ୟା ୮୦ । ଯାହା ଲୋକସଭା ନିର୍ବାଚନର ଦଶା ଓ ଦିଶା ନିର୍ଦ୍ଧାରଣ କରିଥାଏ । ତେଣୁ ସମସ୍ତଙ୍କ ନଜର ଉତ୍ତରପ୍ରଦେଶ ଉପରେ ।

ଅଖିଲେଶ ଯାଦବ ଟ୍ୱିଟ କରି କହିଛନ୍ତି, ବିଗତ ୫ ବର୍ଷରେ ବିଜେପି ସରକାର ଗଣତନ୍ତ୍ରର ସମସ୍ତ ସ୍ତମ୍ଭକୁ ବିଧ୍ୱସ୍ତ କରିଛି । ହେଲେ ଏବେ ଆରମ୍ଭ ହେବ ବିଜେପିର ଏଣ୍ଡଗେମ୍ । କାରଣ ଚଳିତ ଥର ମହାମେଂଟର ସରକାର ଆସୁଛି । ଟ୍ୱିଟ କରି ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ଅଖଲେଶ ଯାଦବ । ଫଟୋରେ ଲେଖାହୋଇଛି ମହାମେଂଟ ସରକାର, ଏବଂ ବ୍ୟାକଗ୍ରାଉଣ୍ଡର ରଙ୍ଗ ମାର୍ଭେଲ ଷ୍ଟୁଡ଼ିଓ ପରି ହୋଇଛି ।