ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବାସ୍ଥା ମାଡ଼ : ସେପ୍ଟେମ୍ବରରେ କମିଲା କାର ଓ ବାଇକ ବିକ୍ରି

290

କନକ ବ୍ୟୁରୋ : ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବସ୍ଥାର ମାଡ । ସେପ୍ଟେମ୍ବର ମାସରେ କମିଲା ଗାଡି ବିକ୍ରି । ଏହି ସମୟରେ ଉଭୟ କାର ଓ ଦୁଇ ଚକିଆ ଗାଡି ବିକ୍ରି କମିଛି । ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ନିର୍ମାତା ସୋସାଇଟି ପକ୍ଷରୁ  ଆଜି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଯାତ୍ରୀବାହୀ ଗାଡି ବିକ୍ରି ୨୩ ଦଶମିକ ୬୯ ପ୍ରତିଶତ ହ୍ରାସ ପାଇଛି ।

ଗତବର୍ଷ ଏହି ମାସରେ ୨ଲକ୍ଷ ୯୨ହଜାର ୬୬୦ ୟୁନିଟ୍ ଗାଡି ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ୨ ଲକ୍ଷ ୨୩ ହଜାର ୩୧୭ ୟୁନିଟ୍ ବିକ୍ରି ହୋଇଛି । କାର ବିକ୍ରି ମଧ୍ୟ ୩୩ଦଶମିକ୍ ୪ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ୧ଲକ୍ଷ ୯୭ ହଜାର ୧୨୪ ୟୁନିଟ୍ କାର ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ୧ଲକ୍ଷ ୩୧ ହଜାର ୨୮୧ ୟୁନିଟ୍ କାର ବିକ୍ରି ହୋଇଛି । ସେହିପରି ମୋଟର ସାଇକେଲ ବିକ୍ରି ମଧ୍ୟ ୨୩ ଦଶମିକ ୨୯ ପ୍ରତିଶତ ହ୍ରାସ ପାଇଛି ।

୨୦୧୮ ସେପ୍ଟେମ୍ବର ମାସରେ ୧୩ ଲକ୍ଷ ୬୦ହଜାର ୪୧୫ୟୁନିଟ୍ ବାଇକ୍ ବିକ୍ରି ହୋଇଥିବାବେଳେ ଏବର୍ଷ ସମାନ ସମୟରେ ବିକ୍ରି ହୋଇଛି ୧୦ ଲକ୍ଷ ୪୩ହଜାର ୬୨୪ ୟୁନିଟ୍ ବାଇକ୍ । ବର୍ଷକ ଭିତରେ ମୋଟରେ ବାଇକ୍ ବିକ୍ରି ୨୨ ଦଶମିକ୍ ୦୯ ପ୍ରତିଶତ ହ୍ରାସ ପାଇଛି । ଯାହା ପାଖାପାଖି ୬ ଲକ୍ଷ ୟୁନିଟ୍ ହେବ ।  ସେହିପରି ବାଣିଜିକ ଗାଡିର ବିକ୍ରି ମଧ୍ୟ ୩୯ଦଶମିକ ୦୬ ପ୍ରତିଶତ ହ୍ରାସ ପାଇଛି । ଲଗାତାର ଭାବରେ ୧୧ତମ ମାସ ପାଇଁ ଗାଡି ବିକ୍ରି ହ୍ରାସ ପାଇଛି ।