ବାରିପଦାରେ ଟ୍ରାଫିକ୍ ନିୟମ କଡ଼ାକଡ଼ି : ଅଟୋଚାଳକ ଉପରେ ୪୦ ,୫୦୦ ଟଙ୍କାର ଜୋରିମାନା

501

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କଡ଼ାକଡ଼ି ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହି ସଂଶୋଧିତ ଆଇନ ଲାଗୁ ହେବା ଫଳରେ ବେଆଇନ କାର୍ଯ୍ୟରେ ଜଡ଼ିତ କିଛି ଗାଡ଼ି ମଧ୍ୟ ପୁଲିସ ଜାଲରେ ପଡ଼ୁଛନ୍ତି । ଏହି ନିୟମ ଲାଗୁ ହେବା ପରଦିନ ଅର୍ଥାତ ଚଳିତ ମାସ ୨ ରାତି ପ୍ରାୟ ୨ଟା ସମୟରେ ବାରିପଦା ଟାଉନ୍ ପୁଲିସର ଏକ ପାଟ୍ରୋଲିଂ ଦଳ ଏକ ନମ୍ବର ବିହୀନ ଅଟୋକୁ ଧରିଥିଲା। ଚେକିଂ ବେଳେ ଉକ୍ତ ଅଟୋର କୌଣସି କାଗଜପତ୍ର ନଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭିଂ ଲାଇସେନ୍ସ୍, ପଞ୍ଜୀକରଣ ପ୍ରମାଣପତ୍ର, ବୀମା କିମ୍ବା ଅନ୍ୟାନ୍ୟ କୌଣସି କାଗଜପତ୍ର ନଥିଲା । ତେଣୁ ପୁଲିସ୍ ପାଟ୍ରୋଲିଂ ଟିମ୍ ଏବଂ ଜୁନିୟର୍ ଏମ୍‌ଭିଆଇ ଉକ୍ତ ଅଟୋ ଉପରେ ୪୦ହଜାର ୫୦୦ ଟଙ୍କାର ଜରିମାନା ଲଗାଇଥିଲେ । ଜବତ ଅଟୋଟି ବାରିପଦା ପୌରାଞ୍ଚଳ ବଡ଼ବଜାର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କ ନାମରେ ରହିଥିବା ଜଣାପଡ଼ିଛି । ତେବେ ଅଟୋର କାଗଜପତ୍ର ଫାଇନାନ୍ସ କମ୍ପାନି ଦେଇନଥିବା ଅଟୋ ମାଲିକ ସୂଚନା ଦେଇଛନ୍ତି ।

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଅଟୋରେ ବାରିପଦାର ଜଣେ ପେସାଦାର ମହିଳା ଲୁଟେରା ପ୍ରାୟତଃ ସବୁ ରାତିରେ ବୁଲେ । ଏପରିକି ଅଟୋ ଜବତ ହେବା ଦିନ ମଧ୍ୟ ଏହି ମହିଳା ଲୁଟେରା ଜଣକ ସେହି ଅଟୋରେ ଥିଲେ ବୋଲି ପୁଲିସ ସୂଚନା ଦେଇଛି । ମହିଳା ଲୁଟେରାଙ୍କ ବ୍ୟାଗ୍‌ରୁ ଡକାୟତିରେ ବ୍ୟବହୃତ ସ୍କୃ ଡ୍ରାଇଭର୍ ମଧ୍ୟ ଜବତ କରାଯାଇଥିଲା । ଏହି ମହିଳା ଲୁଟେରାଙ୍କ ନାମରେ ପୂର୍ବରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଚୋରି ମାମଲା ଥିବା ପୁଲିସ ସୂତ୍ରରୁ ପ୍ରକାଶ । ତେଣୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ଦ୍ବାରା ଅନ୍ତତଃ ବେଆଇନ୍ କାର୍ଯ୍ୟରେ ଲିପ୍ତ ଗାଡ଼ି ମଧ୍ୟ ଜବତ ହେଉଛି ବୋଲି ବାରିପଦା ଟାଉନ ଥାନା ପୁଲିସ ପ୍ରକାଶ କରିଛି ।

ସେହିପରି ଚଳିତ ମାସ ୩ ତାରିଖରେ ଓଡି-୧୧-କ୍ୟୁ-୫୩୧୯ ନମ୍ବର ବିଶିଷ୍ଟ ଏକ ଅଟୋ ଗଣେଶ ଲଜ୍ ପାଖରେ ଥିବା ଏକ ଚା’ ଦୋକାନ ଭିତରକୁ ପଶି ଯାଇଥିଲା । ପୁଲିସ ତଦନ୍ତ କାଳରେ ଚାଳକ ଜଣକ ମଦ ପିଇଥିବା ଧରାପଡ଼ିଥିଲା। ତେଣୁ ଉକ୍ତ ଅଟୋର କାଗଜପତ୍ର ଆଦି ଯାଞ୍ଚ କରିବା ପରେ ୧୦ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା । ଏହି ଅଟୋର ମାଲିକ ଉକ୍ତ ଜରିମାନା ରାଶି ପଇଠ କରି ଅଟୋଟିକୁ ଥାନାରୁ ନେଇଯାଇଥିବା ଜଣାପଡ଼ିଛି ।