ନିଚ୍ଛକ ଭଲପାଇବାର ଜ୍ୱଳନ୍ତ ଉଦାହରଣ : ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲା ମା’, ଅସ୍ତ୍ରୋପଚାର ଶେଷ ହେବାପର୍ଯ୍ୟନ୍ତ ମା’ କୋଆଲାକୁ ଜାବୁଡ଼ି ଧରିଥିଲା ଛୁଆ କୋଆଲା

822

କନକ ବ୍ୟୁରୋ : ମା’ର ମମତାଠୁ ବଳି କିଛି ନାହିଁ । ମା’ର ସ୍ନେହ ଆଗରେ ସବୁକିଛି ମୂଲ୍ୟହୀନ । ଦୁନିଆରେ ମା’ର ଭଲପାଇବା ହିଁ ନିସ୍ୱାର୍ଥ । ମା’ର ମମତାରେ ନଥାଏ ଟିକିଏ ବି ଛଳନା । କେବଳ ଥାଏ ନିରୋଳା ଭଲପାଇବା । ମା’ ଶବ୍ଦର କୌଣସି ସଜ୍ଞା ନାହିଁ । ଝୁଣ୍ଟି ପଡ଼ିଲେ କିମ୍ବା କିଛି କଷ୍ଟ ହେଲେ ସ୍ୱତଃପ୍ରକୃତ ଭାବେ ପ୍ରଥମ ଶବ୍ଦ ମୁହଁରୁ ବାହାରି ଆସେ ମା’ । ଆଉ ପିଲା ପାଇଁ ମା’ର ପଣତ ହିଁ ନିର୍ଭୟ ଆଶ୍ରୟସ୍ଥଳୀ । ମଣିଷ ହୁଅନ୍ତୁ ବା ଜୀବନଜନ୍ତୁ ମା’ ସମସ୍ତଙ୍କ ପାଇଁ ମୂଲ୍ୟବାନ୍ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ ହୁତୁ ହୁତୁ ହୋଇ ଜଳୁଥିବା ନିଆଁରେ । ନିଆଁର ଆଁରୁ  ଉଦ୍ଧାର ହୋଇଥିବା ମା’ଆଉ ଛୁଆ କୋଆଲାଙ୍କ ଦେଖିଲେ ନିଚ୍ଛକ ଭଲପାଇବାକୁ ଆପଣ ମର୍ମେ ମର୍ମେ ଅନୁଭବ କରିପାରିବେ ।

ଗୋଟିଏ ପଟେ ମୃତ୍ୟୁ ବାଟ ଓଗାଳୁଥିବା ବେଳେ ଅନ୍ୟପଟେ ଥିଲା ନିସ୍ୱାର୍ଥ  ଭଲପାଇବା । ଅଷ୍ଟ୍ରେଲିଆରେ ଲାଗିଥିବା ନିଆଁରେ ଲକ୍ଷଲକ୍ଷ ପଶୁପକ୍ଷୀ ଜଳିପୋଡ଼ି ପାଉଁଶ ହୋଇଯାଉଥିବା ପଡ଼େ ଫିକା ପଡ଼ିନଥିଲା ମମତା । ପଶୁ ହେଲେ କ’ଣ ହେଲା ଅନ୍ତ ଚରି ଜନ୍ମ ଦେଇଛି ପରା । ଛୁଆ ପାଇଁ ନିଆଁର କରାଳ ରୂପ, ହେଉ କି ଦେହର ଫୋଟକା ବି କଷ୍ଟ ଦେଉନଥିଲା । ଛୁଆକୁ ବଂଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲା ମା’ କୋଆଲା । ରାସ୍ତାରେ ଦୁର୍ଘଟଣା ହେଉ କି ନିଆଁର ପ୍ରଚଣ୍ଡ ରୂପ ହେଉ ଛୁଆ କୋଆଲାକୁ କିଛି ହେବାକୁ ଦେଇନଥିଲା ମା’ କୋଆଲା । ହେଲେ ନିଜକୁ ସୁରକ୍ଷିତ ରଖିପାରିନଥିଲା ମା’ କୋଆଲା ।

ଦେଖନ୍ତୁ ଏହି ଫଟୋ । କେଡ଼ ବିଚିତ୍ର ଓ କେଡ଼େ ଦୁର୍ଲଭ ଦୃଶ୍ୟ ସତେ । ଦୁଇ ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆ ନିଆଁରୁ ବଂଚିବା ପାଇଁ କୋଆଲା ରାସ୍ତାରେ ଦୌଡ଼ୁଥିବା ବେଳେ କାର ସହ ଧକ୍କା ହୋଇଥିଲା ।  ନିଆଁରେ ପୋଡ଼ି ହୋଇ ମା’ କୋଆଲର ଶରୀରର କିଛି ଅଂଶ ପୋଡ଼ି ହୋଇଯାଇଥିଲା ମଧ୍ୟ । ହେଲେ ଏଥିରେ ଛୁଆ କୋଆଲାକୁ କିଛି ହେବାକୁ ଦେଇନଥିଲା ମା’ କୋଆଲା । ଏହାପରେ ଉଭୟଙ୍କୁ ଅଷ୍ଟ୍ରେଲିଆର ଏକ ୱାଇଲ୍ଡ ଲାଇଫ୍ ହସ୍ପିଟାଲ ନିଆଯାଇଥିଲା ଅସ୍ତ୍ରୋପଚାର ସମୟରେ କୋଆଲା କିପରି ମା’କୁ ଜାବୁଡ଼ି ଧରିଛି ଆପଣ ଦେଖିପାରୁଥିବେ । ମା’ କୋଆଲାର ଅସ୍ତ୍ରୋପଚାର ସମୟରେ ଛୁଆ କୋଆଲାକୁ ଅଲଗା କରିବାକୁ ଅନେକ ଚେଷ୍ଟା କରିଥିଲେ ଡାକ୍ତିରୀ ଦଳ । ହେଲେ ମା’କୁ ଛାଡ଼ିବାକୁ ନାରାଜ ଛୁଆ । ଛୁଆର ଜିଦ୍ ଆଗରେ ହାର ମାନିଥିଲେ ଡାକ୍ତରୀ ଦଳ । ମା’ କୋଆଲାର ଅସ୍ତ୍ରୋପଚାର ଶେଷ ହେବା ପର୍ଯ୍ୟନ୍ତ ମା’କୁ ଜାବୁଡ଼ି ଧରିଥିଲା ଛୁଆ କୋଆଲା । ମା’ ଛୁଆକୁ ଅଲଗା କଲେନି ଡାକ୍ତିରୀ ଦଳ । ଶେଷରେ ସଫଳ ହେଲା ମା’ କୋଆଲାର ଅପରେସନ୍ ।

ଡାକ୍ତରଙ୍କ ସୂଚନା ଅନୁସାରେ ମା’ କୋଆଲାକୁ ଫୁସଫୁସ ସଂକ୍ରମଣ ହେବା ସହ ଚେହେରାରେ କ୍ଷତ ସୃଷ୍ଟି ହୋଇଛି । ଛୁଆ କୋଆଲା ଶରୀରର ଉଷ୍ମତା ଓ ଡାକ୍ତରୀ ଟିମର କଠିନ ପରିଶ୍ରମ ପରେ ଏବେ ମା’ କୋଆଲାକୁ ମିଳିଛି ନୂଆ ଜୀବନ । ଛୁଆର ଏତେ ଭଲପାଇବା ଆଗରେ ଭଗବାନ ବି ହାର ମାନିଗଲେ, ଆଉ ଏବେ ମା’ କୋଆଲା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।