କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବରେ ଏଟିଏମ୍ ଲୁଟ୍ ବଢ଼ି ବଢ଼ି ଚାଲିଛି । ମାତିଛନ୍ତି ଏଟିଏମ୍ ଲୁଟେରା। ଗତ ତିନି ବର୍ଷରେ ଦୁର୍ବୃତ୍ତ ୧୦୫ଟି ଏଟିଏମ୍ ଭାଙ୍ଗି କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ସିସିଟିଭି କ୍ୟାମେରା ୨୪ ଘଣ୍ଟା ଜଗି ରହିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଘଟଣାସ୍ଥଳରୁ ଧରି ହେଉ ନାହିଁ ।
ଏଟିଏମ୍ ଲୁଟରେ ସର୍ବାଗ୍ରେ ରହିଛି ବାଲେଶ୍ବର ଜିଲ୍ଲା। ୨୦୧୮ ମସିହାରେ ଲଗାତାର ବାଲେଶ୍ବରରେ ୧୨ଟି ଏଟିଏମ୍ ଲୁଟ୍ ହେବା ପରେ ହଇଚଇ ହୋଇଥିଲା । ଏଟିଏମ୍ଗୁଡ଼ିକୁ ପୁଲିସର କଡ଼ା ପହରା ଦେବାପାଇଁ ଯୋଜନା ହୋଇଥିଲା । ଏଟିଏମ୍ର ସିସିଟିଭି କ୍ୟାମେରାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ସିଧାସଳଖ ପୁଲିସ ଦେଖିବା ପାଇଁ ମଧ୍ୟ ଯୋଜନା ହୋଇଥିଲା । ହେଲେ କିଛି ଦିନର ତନାଘନା ପରେ ସ୍ଥିତି ‘ଯଥା ପୂର୍ବଂ ତଥା ପରଂ’ ହୋଇଥିଲା । ଦୁର୍ବୃତ୍ତମାନେ ପୁଣି ଏଟିଏମ୍ ଲୁଟିବାରେ ଲାଗି ପଡ଼ିଥିଲେ। ପୁଲିସ ଉଲ୍ଲେଖୀୟ ସଫଳତା ପାଉନଥିବାରୁ ଲୁଟେରା ପ୍ରୋତ୍ସାହିତ ହେଉଛି ଏବଂ ଏଭଳି ଅପରାଧ ବଢ଼ିବାରେ ଲାଗିଛି ।
ଏଗୁଡ଼ିକ କେବଳ ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଘଟଣା ହୋଇଥିବା ବେଳେ ଏହି ତିନିବର୍ଷରେ ଏଟିଏମ୍ ଠକେଇ ମାମଲା ୧ ହଜାରରୁ ଅଧିକ ରହିଛି। ଅଭିଯୁକ୍ତ ଦୂରରେ ଥାଇ ଜମାକାରୀର ଏଟିଏମ୍ କାର୍ଡର ସିଭିଭି ନମ୍ବର ସହ ଓଟିପି ନେଇ ଲକ୍ଷ ଲକ୍ଷ ଟଂକା ଲୁଟି ନେଇଛି। ତେବେ ଏ ନେଇ ଅଭିଯୋଗ କମ୍ ହେଉଛି। କାରଣ ଆଜି ପର୍ଯ୍ୟନ୍ତ ଏଭଳି ଏଟିଏମ୍ ଠକେଇ ମାମଲାରେ ପୁଲିସକୁ ସଫଳତା ମିଳିପାରି ନାହିଁ। କେବଳ ଗୋଟିଏ ମାମଲାରେ ପୁଲିସକୁ ସଫଳତା ମିଳିଛି। ବାରିପଦାର ଜଣେ ଠିକାଦାରଙ୍କ ଅଭିଯୋଗକ୍ରମେ ସାଇବର ଥାନା ପୁଲିସ ଦିଲ୍ଲୀରେ ଚଢ଼ଉ କରି ଜଣେ ଅଣଓଡ଼ିଆ ଠକକୁ ଗିରଫ କରିଥିଲା। ଏଭଳି ସାଇବର ଠକକୁ ଧରିବା ଏକ ପ୍ରକାର ଅସମ୍ଭବ ହେଉଥିବାରୁ ଏହି ଠକେଇ ବଢ଼ି ବଢ଼ି ଚାଲିଛି। ଏଭଳି ଠକେଇକୁ ରୋକିବା ତଥା ସଫଳ ତଦନ୍ତ ପାଇଁ ଭୁବନେଶ୍ବରରେ ‘ସାଇବର ଫରେନ୍ସିକ୍ ଟ୍ରେନିଂ ଲ୍ୟାବ୍’ ଖୋଲିବାକୁ ଯାଉଥିବା କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତା’ ଛଡ଼ା ସାଇବର ଅପରାଧର ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ ‘ସାଇବର କ୍ରାଇମ୍’ ନାମକ ପୁସ୍ତିକା ନିୟମିତ ବ୍ୟବଧାନରେ ସମସ୍ତ ଏସ୍ପିଙ୍କୁ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/ATM.jpg)