କନକ ବ୍ୟୁରୋ : ଫେସବୁକ୍ ପୋଷ୍ଟରେ ସାମ୍ବାଦିକତା ବୃତ୍ତିକୁ ଅପମାନ । ଗତ ୧୬ ଜୁନରେ ସାମ୍ବାଦିକଙ୍କୁ ତାତ୍ସଲ୍ୟ କରି ଅରୁଚିକରର ମନ୍ତବ୍ୟ ଦେଇଛନ୍ତି ଆଠଗଡ଼ ଡିଏଫଓ । ସାମ୍ବାଦିକଙ୍କୁ ଭିକାରୀ କହି ଅପମାନିତ କରିଛନ୍ତି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା । । ସାମ୍ବାଦିକତା ଏକ ନିଆରା ବୃତ୍ତି । ସତ୍ୟ, ନୀତିନିଷ୍ଠ ତଥା ନିରପେକ୍ଷ ସାମ୍ବାଦିକ ବିଭିନ୍ନ ସମୟରେ ଅପଦସ୍ତ ହେଉଛନ୍ତିି । ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇବା ତଥା ଦୁର୍ନୀତିର ଗୁମର ଖୋଲୁଥିବା ସାମ୍ବାଦିକ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । କିଏ କେତେବେଳେ ସାମ୍ବାଦିକଙ୍କୁ ମିଛୁଆ କହୁଛି ଆଉ କିଏ ଲାଞ୍ଚୁଆ ତ ଆଉ କିଏ ଭିକାରୀ । ଲୋକ ପାଇଁ ଜୀବନ ଉତ୍ସର୍ଗ କରୁଥିବା ବ୍ୟକ୍ତିଙ୍କର କ’ଣ କିଛି ସମ୍ମାନବୋଧ ନାହିଁ ।
‘ସାମ୍ବାଦିକମାନେ ଭିକାରୀ ! ସାମ୍ବାଦିକଙ୍କ ପରି ଭିକାରୀ କେବେ ମୋ ଜୀବନରେ ପୂର୍ବରୁ କେବେ ବି ଦଖିନି ! ସାମ୍ବାଦିକମାନଙ୍କୁ ଦିଆଯାଇଥିବା ସ୍ୱାଧୀନତାର ବ୍ୟବହାର କରି ସେମାନେ ଟଙ୍କା ମାଗିବା ସହିତ ବ୍ଲାକମେଲିଂ କରୁଛନ୍ତି ! ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ! ସମସ୍ତେ ଏଠାରେ ସାମ୍ବାଦିକ ! ସମସ୍ତଙ୍କ ଅଯୁକ୍ତିକର ଦାବି ପୂରଣ କରିବା ପାଇଁ ମୁଁ ଏଠାରେ ନାହିଁ ବୋଲି ସେ ଲେଖିଛନ୍ତି ।
ଜଣେ ଉଚ୍ଚଶିକ୍ଷିତ ଅଧିକାରୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଏପରି ଅପମାନ ଜନକ ମନ୍ତବ୍ୟ ଦେବା କେତେଦୂର ଯୁକ୍ତିଯୁକ୍ତ । ଗଣମାଧ୍ୟମ ପରି ଏକ ମର୍ଯ୍ୟାଦାଜନକ ପେଶା ପାଇଁ ଏହି କ’ଣ ପୁରସ୍କାର । ତେବେ ସାମ୍ବାଦିକଙ୍କୁ ଭିକାରୀ କହିବା ଅଭିଯୋଗରେ ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ନାଁରେ ଆଠଗଡ ଥାନାରେ ଏତଲା ଦିଆଯାଇଛି । ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହି ଏତଲା ଦେଇଛନ୍ତି । ସସ୍ମିତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ସାମ୍ବାଦିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଘଟଣାକୁ ସାମ୍ବାଦିକମାନେ ଦୃଢତାର ସହିତ ନିନ୍ଦା କରିଛନ୍ତି ।