ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ଗୃହର ମଧ୍ୟଭାଗକୁ ଆସି ବିରୋଧୀଙ୍କ ହୋହାଲ୍ଲା, ଦିନ ୩ଟା ଯାଏ ଗୃହ ମୁଲତବୀ

570

କନକ ବ୍ୟୁରୋ : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା । ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ-ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା କରିଥିଲା । ହଟ୍ଟଗୋଳ ଯୋଗୁ ଗୃହକୁ ୩ଟା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବିଧାନସଭା ଅଧିବେଶନ ଆରମ୍ଭରେ ପୂର୍ବତନ ବିଧାୟକଙ୍କ ବିୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପରେ ପରେ ବିଜେପି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ମୁଲତବୀ ଉଠାଇଥିଲା। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି । ବିଧାନସଭା ଆରମ୍ଭ ପୂର୍ବରୁ ବିଧାନସଭାର ରଣନୀତି ପ୍ରସ୍ତୁତ ଲାଗି ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ କି, ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ ଏବଂ ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ। ବିରୋଧୀ ଦଳମାନେ ଯେଉଁ ପ୍ରସଙ୍ଗ ଆଣିଲେ ବି ତା’ର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ।