ଗିରଫଦାରୀ ପଛରେ ରହିଛି ଷଡଯନ୍ତ୍ର : ଆଶୀର୍ବାଦ କହିଲେ, ଓସିଏ ନିର୍ବାଚନରୁ ବଞ୍ଚିତ କରିବାକୁ ଯୋଜନା,ବାପାଙ୍କ ସହ ପୁଅ ବି ମିଶାଇଲେ ସ୍ୱର

401

କନକ ବ୍ୟୁରୋ : ‘ମୋ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି’  । ଜାଣିଶୁଣି ଓସିଏ ନିର୍ବାଚନ ପୂର୍ବରୁ ମୋତେ ଗିରଫ କରାଯାଇଛି । ଆସନ୍ତାକାଲି ଓସିଏ ନିର୍ବାଚନ ପାଇଁ ନୋମିନେସନ୍ ଥିବା ବେଳେ ତା’ଆଗରୁ ଗିରିଫ କରିବାର ମାନେ କ’ଣ ? ଗିରଫଦାରୀ ପରେ କ୍ଷୋଭ ମିଶ୍ରିତ କଣ୍ଠରେ ଏପରି କହିଛନ୍ତି ପୂର୍ବତନ ଓସିଏ ସାଂସଦ ଆଶିର୍ବାଦ ବେହେରା । ଆଶିର୍ବାଦଙ୍କ ପରି ତାଙ୍କ ପୁଅ ମଧ୍ୟ କହିଛନ୍ତି ବାପାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି । ସେପଟେ ସିବିଆଇ ଏସପି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଆଶୀର୍ବାଦଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି ହୋଇଥିବାରୁ ତାଙ୍କୁ ରିମାଣ୍ଡରେ ନିଆଯିବନି ବୋଲି କହିଛି ସିବିଆଇ ।

ଆଜି ସକାଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ଆଜି ସିବିଆଇ ତାଙ୍କୁ ତାଙ୍କର କଟକ ବାସଭବନରୁ ଗିରଫ କରିଛି । ଅର୍ଥତତ୍ୱ ଚିଟଫଣ୍ଡ୍ ଲିଙ୍କ୍ ନେଇ ଓସିଏର ଏହି ପୂର୍ବତନ ସମ୍ପାଦକଙ୍କୁ ସିବିଆଇ ଆଗରୁ ବହୁଥର ଡାକି ପଚରାଉଚରା କରିଥିଲେ ମଧ୍ୟ ଗିରଫ କରିନଥିଲା । ଚଳିତ ବର୍ଷ ସିବିଆଇ ଆଶୀର୍ବାଦଙ୍କ ନାଁରେ ଚିଟଫଣ୍ଡ ସଂପୃକ୍ତି ନେଇ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ଏହା ପରେ ଆଜି ତାଙ୍କୁ ଗିରଫ କରଛି । ଗିରଫଦାରୀ ପରେ କଟକରୁ ଭୁବନେଶ୍ୱର ସିବିଆଇ ମୁଖ୍ୟାଳୟକୁ ଆଣିଛି ସିବିଆଇ ଟିମ୍ । ବେଆଇନ୍ ଭାବେ ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ବ୍ୟବସାୟ ପ୍ରଚାର ପ୍ରସାର କରାଇବା ଅଭିଯୋଗ ରହିଛି ଆଶୀର୍ବାଦଙ୍କ ନାଁରେ ।

୨୦୧୧ ମସିହାରେ ଓଡିଶା ପ୍ରିମିୟର ଲିଗ୍ ବା ଓପିଏଲ୍ ରେ ଅର୍ଥଲଗାଇଥିଲା ଅର୍ଥତତ୍ତ୍ୱ । ଓଡିଶା ରଣଜୀର ସ୍ପନସରସିପ୍ ସହିତ ଓପିଏଲ୍ ର ପ୍ରସାର ପାଇଁ ଓସିଏକୁ ଅର୍ଥତତ୍ୱ କୋଟିଏ ଟଙ୍କା ଦେଇଥିବା ନେଇ ଅଭିଯୋଗ ରହିଛି । ଏହି ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଛି ସିବିଆଇ । ସେହିପରି ହୋଟେଲ ମାଲିକ କମଳାକାନ୍ତ ଦାଶଙ୍କୁ ଗିରଫ କରିଛି ସିବିଆଇ ।