ସରିଲା ଆଶାରାମଙ୍କ ଆଶ୍ରମ ଅୟସ, ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ବିତିବ ଜୀବନ ! ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କଲେ ଯୋଧପୁର କୋର୍ଟ

46

କନକ ବ୍ୟୁରୋ : ମୁହଁରେ ଭଗବାନଙ୍କ ନାଁ ନେଇ, କୋଟି କୋଟି ଭକ୍ତଙ୍କ ପୂଜା ପାଉଥିବା ଆଶାରାମ ବାପୁଙ୍କୁ, ନାବାଳିକା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି, ରାଜସ୍ଥାନର ଯୋଧପୁର କୋର୍ଟ । ତାଙ୍କୁ କଡା ସଜା ଦେଇ କୋର୍ଟ ଆଜୀବନ କାରାଦଣ୍ଡର ଆଦେଶ ଦେଇଛନ୍ତି । ଏହି ମାମଲାରେ ଆଉ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତେବେ ଦୁଇ ଜଣ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ବ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୋରରେ ହସିଉଠିଥିଲେ ଆଶାରାମ୍ । କିନ୍ତୁ ଆଜୀବନ ସଜା ଶୁଣିବା ପରେ ଆଉ ସମ୍ଭାଳିନପାରି କାନ୍ଦି ପକାଇଥିଲେ ଏହି ବଳାତ୍କାରୀ ବାବା ।

୫ବର୍ଷ ତଳର ନାବାଳିକା ବଳାତ୍କାର ମାମଲାରେ ଯେତେବେଳେ ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଜଜ୍ ଦୋଷୀ ସାବ୍ୟସ୍ତ କଲେ, କିଛି ସମୟ ପାଇଁ ସେ ଗମ୍ଭୀର ହୋଇଯାଇଥିଲେ । ରାମନାମ ଜପିଥିଲେ ଆଉ ଅଚାନକ ନାଟକୀୟ ଭାବେ ଜୋରରେ ହସିବାକୁ ଲାଗିଲେ । ରାଜସ୍ଥାନ ଯୋଧପୁରରେ ବାବାଙ୍କ ଆଶ୍ରମରେ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକା ଆଣିଥିଲେ ବଳାତ୍କାର ଅଭିଯୋଗ । ବିଚାରପତି ମଧୁସୂଦନ ଶର୍ମା ଦୁଇପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ୭୭ ବର୍ଷୀୟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏତିକିବେଳେ ହଠାତ ଅଟ୍ଟହାସ୍ୟ କରିଥିଲେ ଆଶାରାମ ।

ଆଶାରାମଙ୍କୁ ଜଜ୍ ଦୋଷୀ ସାବ୍ୟସ୍ତ କରିବା ପରେ ସଜା ପାଇଁ ଆରମ୍ଭ ହୋଇଥିଲା ଜବାବ ସୁଆଲ । ବାବାଙ୍କ ଓକିଲ କହିଥିଲେ- ଆଶାରାମ କୋର୍ଟଙ୍କୁ କିଛି କହିବାକୁ ଚାହୁଁଛନ୍ତି । ହେଲେ ଜଜ୍ ମଧୁସୂଦନ ଶର୍ମା କହିଥିଲେ- ଏବେ ଆଉକିଛି ଶୁଣିବାର ନାହିଁ । ମାମଲାର ଶୁଣାଣି ଶେଷ ହୋଇଯାଇଛି । ସରକରୀ ଓକିଲ ଯୁକ୍ତି ରଖିଥିଲେ – ବାବା ଜଘନ୍ୟ ଅପରାଧ କରିଥିବାରୁ ତାଙ୍କୁ ସର୍ବାଧିକ ଦଣ୍ଡ ଦିଆଯାଉ । ତେବେ ବାବାଙ୍କ ପକ୍ଷରୁ ଲଢୁଥିବା ୧୪ ଜଣିଆ ଓକିଲଙ୍କ ଫୌଜ ଯୁକ୍ତି ରଖିଥିଲେ- ବାବାଙ୍କ ବୟସକୁ ଦେଖି ତାଙ୍କ ପ୍ରତି ସଜା କୋହଳ କରାଯାଉ । ଆଶାରାମ ମଧ୍ୟ ଅନୁରୋଧ କରିଥିଲେ- ମୁଁ ବୁଢା ହୋଇଗଲିଣି । ମୋ ବୟସକୁ ଦେଖି କୋର୍ଟ ଦୟା କରନ୍ତୁ । ଓକିଲଙ୍କ କାନ୍ଧରେ ହାତ ରଖି ଆଶାରମ କହିଲେ – କିଛି ତ କୁହ ।

asharam

ସବୁପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜଜ୍ ମଧୁସୂଦନ ଶର୍ମା ଶୁଣାଇଥିଲେ ସଜା । ଜଣେ ନାବାଳିକାଙ୍କ ସହ ବାବା କରିଥିବା ଅପକର୍ମ ପାଇଁ ସର୍ବାଧିକ ଆଜୀବନ ଜେଲ ଦଣ୍ଡାଦେଶ କଲେ କୋର୍ଟ । ଆଉ କୋର୍ଟଙ୍କ ରାୟ ଶୁଣିବା ପରେ ହତାଶ ବାବା ହଠାତ କୋର୍ଟରୁମରେ ଜୋରଜୋରରେ କାନ୍ଦିବାକୁ ଲାଗିଲେ । ନିଜ କୁକର୍ମ ପାଇଁ ପଶ୍ଚାତାପ କରୁଥିଲେ ଏହି ଛଦ୍ମବେଶୀ ବାବା । ଧୋବଧାଉଳିଆ ପୋଷାକ ପିନ୍ଧି, ମୁହଁରେ ରାମନାମ ଜପି ଆଶ୍ରମ ଆଳରେ ନିଜ ଅପକର୍ମକୁ ଚରିତାର୍ଥ କରୁଥିବା ଏହି ଆତ୍ମଘୋଷିତ ବାବା ଆଶାରାମଙ୍କୁ ୨୧୦୩ ସେପ୍ଟେମ୍ବରରେ ଇନ୍ଦୋରରୁ ଗିରଫ କରି ଯୋଧପୁର କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା । ଆଉ କୋର୍ଟଙ୍କ ରାୟପରେ ତାଙ୍କ ବାକିତକ ଜୀବନ ବି ଜେଲର କାଳକୋଠରୀରେ କଟିବାକୁ ଯାଉଛି ।