ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନିର୍ବାଚନ ପୂବର୍ରୁ ଆପ୍ ଆଣିଲା ଗ୍ୟାରେଣ୍ଟି କାର୍ଡ : ମିଳିବ ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ପାଣି ସୁବିଧା, ମାଗଣାରେ ବସରେ ଯାତ୍ରା କରିବେ ମହିଳା

273

କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ପାଇଁ ବିଧାନସଭା ବିଗୁଲ ବାଜି ସାରିଛି । ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁଦଳ ପ୍ରସ୍ତୁତ ହେଉଛନ୍ତି । ରାଜଧାନୀର ସମସ୍ତ ୭୦ ବିଧାନସଭା ସିଟ୍ ପାଇଁ ୮ ଫେବୃୟାରୀରେ ଭୋଟିଂ ହେବ । ୧୧ ଫେବୃୟାରୀରେ ଫଳାଫଳ ଘୋଷଣା ହେବ । ଚଳିତ ଥର ରାଜଧାନୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ମୁକାବିଲା ହେବ ।

ଆପ୍ ସମସ୍ତ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଜାରି କିରସାରିଥିବା ବେଳେ ବିଜେପି ୫୭ ଓ କଂଗ୍ରେସ ୫୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସତ୍ତାରୂଢ଼ ଆପ୍ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କେଜ୍ରିୱାଲ ଗ୍ୟାରେଣ୍ଟି କାର୍ଡ଼ ଉପସ୍ଥାପନ କରିଛନ୍ତି । ‘ଗ୍ୟାରେଣ୍ଟି କାର୍ଡ’ ସହ ଭୋଟରଙ୍କ ନିକଟର ହେବାକୁ ଚେଷ୍ଟା କରିଛନ୍ତି କେଜ୍ରିୱାଲ । ଏଥିରେ ବିଶେଷ ଭାବେ ୧୦ ଟି ଗ୍ୟାରେଣ୍ଟି ଦିଆଯାଇଛି।

୧ – ମୁଁ ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି, ଆପ୍ ସରକାର କୌଣସି ବି ଯୋଜନା ବନ୍ଦ କରିବ ନାହିଁ ।

୨ – ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ମିଳିବ ଓ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ପ୍ରଦାନ କରାଯିବ ।

୩ – ପ୍ରତି ଘରକୁ ୨୪ ଘଣ୍ଟିଆ ପାଣି ସୁବିଧା ଯୋଗାଇ ଦିଆଯିବ ଏବଂ ପ୍ରତି ମାସରେ ୨୦,୦୦୦ ଲିଟର ପାଣି ପ୍ରଥମେ ମାଗଣାରେ ପ୍ରଦାନ କରାଯିବ ।

୪ – ଦିଲ୍ଲୀର ସମସ୍ତ ଶିଶୁଙ୍କ ପାଇଁ ବିଶ୍ୱସ୍ତରୀୟ ଶିକ୍ଷାର ବ୍ୟବସ୍ଥା କରାଯିବ । ଆଉ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଆପ ସରକାର ଲଗାତାର କାର୍ଯ୍ୟ କରିବ ।

୫ – ସମସ୍ତ ପରିବାରକୁ ଆଧୁନିକ ହସ୍ପିଟାଲ ଜରିଆରେ ଚିକିତ୍ସା ସୁବିଧା ଦିଆଯାଇଛି । ଆଗକୁ ଏହି ବ୍ୟବସ୍ଥାକୁ ଅଧିକ ଉନ୍ନତମାନର କରିବା ପାଇଁ ଚେଷ୍ଟା କରାଯିବ ।

୬ – ଆଗାମୀ ୫ ବର୍ଷ ମଧ୍ୟରେ ୧୧୦୦୦ରୁ ଅଧିକ ବସ୍ ଦିଲ୍ଲୀ ସଡ଼କରେ ଗଡ଼ିବ ।

୭ – ୫୦୦ କିମିରୁ ଅଧିକ ଲମ୍ବା ମେଟ୍ରୋ ସୁବିଧା ଯୋଗାଇ ଦିଆଯିବ । ମହିଳାଙ୍କ ସହ ଛାତ୍ରୀଙ୍କୁ ମାଗଣା ବସ ଯାତ୍ରାର ସୁବିଧା ଉପଲବ୍ଧ କରାଯିବ ।

୮ – ଚଳିତ ପାଳିରେ ୩ ଗୁଣା ପ୍ରଦୂଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଦୁଇ କୋଟିରୁ ଅଧିକ ବୃକ୍ଷରୋପଣ କରାଯିବାର ଯୋଜନା ରହିଛି । ରାଜଧାନୀ ଦିଲ୍ଲୀକୁ ସବୁଜ ଓ ସୁନ୍ଦର କରାଯିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି ।

୯ – ସିସିଟିଭି କ୍ୟାମେରା ଜେଟ୍ ଲାଇଟ ଓ ବସ ମାର୍ସାଲଙ୍କ ସହ ଗଳିକନ୍ଦିରେ ମଧ୍ୟ ମାର୍ସାଲ ମୁତୟନ କରାଯିବ । ସମସ୍ତ କଲୋନୀରେ ପାନୀୟ ଜଳ ଓ ସସିଟିଭି ଲଗାଇବା ଉପରେ ଅଧିକ ଧ୍ୟାନ ଦିଆଯିବ ।

୧୦ – ଦିଲ୍ଲୀରେ ଝାଟିମାଟି ଘରେ ରହୁଥିବା ଲୋକେ ସମ୍ମାନ ସହକାରେ ଜୀବନ ବିତାଇବା ପାଇଁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।