ଆକ୍ସନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ : ବାଣୀବିହାର କଲେ ଅଚାନକ ପରିଦର୍ଶନ, ପିଲାଙ୍କ ଖାଦ୍ୟର ମାନ ଯାଞ୍ଚ ସହ କ୍ୟାଣ୍ଟିନ ବୁଲିଲେ

426

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ । ଏବେ ଆକ୍ସନରେ ଉଚ୍ଚଶିକ୍ଷା ମନ୍ତ୍ରୀ । ନବୀନଙ୍କ ପଂଚମ ଇଂସନିସର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି । ନବୀନଙ୍କ ପଞ୍ଚମ ପାଳିରେ ୫ଟିକୁ ଗୁରୁତ୍ୱ ଦେଇ ମନ୍ତ୍ରୀମାନେ କାମରେ ଲାଗିଛନ୍ତି ।  ଏହି କ୍ରମରେ ଆଜି  ସକାଳେ ଅରୁଣ ସାହୁ ଅଚାନକ ବାଣୀବିହାର ଗସ୍ତ କରିଛନ୍ତି । 

ଅରୁଣ ସାହୁ ବାଣୀବିହାରରେ ପଂହଚି  ଗୋପବନ୍ଧୁ  ଓ ଅନ୍ୟ ହଷ୍ଟେଲରେ ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ସେ ପିଲାଙ୍କ ସହ ବିଭିନ୍ନ ସମସ୍ୟା ପଚାରିଥିଲେ ।  ବାଣୀବିହାର କ୍ୟାମ୍ପସ ବୁଲିବା ସହ ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ କାର୍ୟ୍ୟର ଅନୁଧ୍ୟାନ  କରିଛନ୍ତି ।  ଏହାସହ ପିଲାଙ୍କ ଖାଦ୍ୟର ମାନ  ଯାଞ୍ଚ ସହ କ୍ୟାଣ୍ଟିନ ବୁଲି ଦେଖିଛନ୍ତି ମନ୍ତ୍ରୀ  ।  ଛାତ୍ରଛାତ୍ରୀମାନେ ହଷ୍ଟେଲର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ଗସ୍ତବେଳେ ମନ୍ତ୍ରୀଙ୍କ ସହ କୁଳପତି, ରେଜିଷ୍ଟ୍ରୋର ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବିଭିନ୍ନ ସମସ୍ୟା ଓ ୧୦ ଦଫା ଦାବି ନେଇ  କିଛିଦିନ ତଳେ  ଛାତ୍ରଛାତ୍ରୀମାନେ କୁଳପତିଙ୍କ ଘେରାଉ କରିଥିଲେ ।