ଏଲଏସିରେ ସେନାକୁ ମିଳିଲା ସ୍ୱାଧୀନତା : ଚୀନର ଉଗ୍ର ପଦକ୍ଷେପର ମୁକାବିଲା ପାଇଁ ଗୁଳିଚଳାଇବାକୁ ସବୁଜ ସଙ୍କେତ

542

କନକ ବ୍ୟୁରୋ : ଚୀନ ସେନାକୁ ନିଜ ଢଙ୍ଗରେ ମୁକାବିଲା କରିବା ପାଇଁ ଭାରତୀୟ ସେନାକୁ ମିଳିଛି ସ୍ୱାଧୀନତା । ଏଲଏସିରେ ସେନାକୁ ସ୍ୱାଧିନତା ଦେଇଛନ୍ତି ଭାରତ ସରକାର । ସୀମାରେ ଚୀନପଟୁ ଭାରତୀୟ ଯବାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଲେ ଗୁଳି ଚଳାଇବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଏଲଏସିରେ ୨୦ ଯବାନ ସହିଦ ହେବା ପରେ ଜୀବନ ପ୍ରତି ବିପଦ ଦେଖା ଦେଲେ ଫିଲଡ କମାଣ୍ଡିଂ ଅଫିସର ଏହି ରଣନୀତିର ନିଷ୍ପତି ନେଇପାରିବେ । ଦୁଇ ଦେଶର ପ୍ରଟୋକଲ ଅନୁସାରେ ବର୍ତମାନ ସୁଦ୍ଧା ଅସ୍ତ୍ର ଚଳନା ଉପରେ ପ୍ରତିବନ୍ଧ ଲାଗିଥିଲା । ହେଲେ ଗଲୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଏବେ ସେନାର ହାତ ଖୋଲି ଦେଇଛନ୍ତି ମୋଦି ସରକାର ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଲୱାନ ଘାଟି ବିବାଦ ଓ ଲାଦାଖର ସ୍ଥିତିର ସମୀକ୍ଷା କରିବା ପରେ ଏହା କହିଛନ୍ତି । ଲାଇନ୍ ଅଫ୍ ଆକ୍ଚ୍ୟୁଆଲ୍ କଂଟ୍ରୋଲ– ଏଲଏସିର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସେନା ଯାହା ବି କରି ପାରିବ ବୋଲି କହିଛନ୍ତି ରାଜନାଥ । ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍, ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ସମୟରେ ପରିସ୍ଥିତିକୁ ନଜରରେ ରଖି ସେନା କିପରି ପ୍ରସ୍ତୁତି କରିବ ସେନେଇ ଏହି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ଏବେ ତିନି ସେନା ହାଇଆଲର୍ଟରେ ରହିଛନ୍ତି । ଭାରତ ଲଦାଖ ସହିତ ଅରୁଣାଚଳ ପ୍ରଦେଶ, ଉତରାଖଣ୍ଡ, ହିମାଚଳ ପ୍ରଦେଶରେ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ସହିତ ସମସ୍ତ ଆଗୁଆ ପୋଷ୍ଟ ଗୁଡିକରେ ଅତିରିକ୍ତ ସୈନ୍ୟ ବଳ ମଧ୍ୟ ଠୁଳ କରିଛି ।

ଋଷ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୀମାରେ ୨୦ ଯବାନ ସହିଦ ପରେ ଏବେ ଭାରତର ତିନି ସେନା ଅପରେସନ ମୋଡରେ ରହିଛନ୍ତି । ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରାଳୟ ପୁରା ଘଟଣାକ୍ରମ ଉପରେ ତୀକ୍ଷଣ ନଜର ରଖିଛି ।