ଜମ୍ମୁ-କଶ୍ମୀର ପୁଲୱାମାରେ ସେନା-ଆତଙ୍କବାଦୀ ମୁହାଁମୁହିଁ ! ଜଣେ ଯବାନ ସହିଦ, ୩ ଗୁରୁତର

50

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ଏନକାଉଂଟର । ପୁଲୱାମା ଜିଲ୍ଲା ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହାଇଛନ୍ତି । ଆତଙ୍କବାଦୀଙ୍କ ସହ ଲଢେଇରେ ଜଣେ ପୁଲିସକର୍ମୀ ମଂଜୁର ଅହମଦ ସହିଦ ହୋଇଥିବା ବେଳେ ୨ଜଣ ଯବାନ ଓ ଜଣେ ସିଆରପିଏଫ କନଷ୍ଟେବଳ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ବୁରହାନ ୱାନିର ସହଯୋଗୀ ତଥା ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ସବଜାର ଅହମଦ ଓ ୩ରୁ ୪ଜଣ ଆତଙ୍କବାଦୀ ଏବେବି ସ୍ଥାନୀୟ ଅଂଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି । ସୁରକ୍ଷାକର୍ମୀ ସ୍ଥାନୀୟ ଅଂଚଳକୁ ଘେରାବନ୍ଦି କରିଛନ୍ତି । ଏବେ ବି ଏନକାଉଂଟର ଜାରି ରହିଛି । ଗତକାଲି ସଂଧ୍ୟାରେ ଏଠାରେ ଥିବା ସେନାର ଏକ କୋଠା ଭିତରେ ପ୍ରାୟ ୫ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା ।

ଏହି ସୂଚନା ଆଧାରରେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିଲା । ଗତକାଲି ବିଳମ୍ବିତ ସଂଧ୍ୟାରେ ସୁରକ୍ଷା କର୍ମୀ କୋଠାଟିକୁ ଘେରାବନ୍ଦି କରିଥିଲେ । ଏହାପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ଯବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିମାଡ ଜାରି ରଖିଛନ୍ତି । ଏହି ଅପରେସନରେ ଆତଙ୍କବାଦୀ ଲୁଚି ରହିଥିବା କୋଠାର ଏକ ଅଂଶକୁ ଧ୍ୱସଂ କରିଛନ୍ତି ସୁରକ୍ଷାକର୍ମୀ । କିନ୍ତୁ ଏବେବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଂଟର ଜାରି ରହିଛି ।