ଲୋକସଭାରେ ଉଠିଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା : ରାଜଧାନୀବାସୀଙ୍କ ଦୁଃଖ ଲାଘବ ନିମନ୍ତେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ଅପରାଜିତା ଷଡ଼ଙ୍ଗୀ

235

କନକ ବ୍ୟୁରୋ : ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛି ସ୍ମାର୍ଟସିଟି । ଅପନ୍ତରା ଅଞ୍ଚଳ ପରି ରାଜଧାନୀ ରାଜରାସ୍ତାରେ ପାଣିର ସୁଅ ଛୁଟୁଛି । ଘରୁ ଗୋଡ଼ କାଢ଼ିଲେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଡ୍ରେନ ପାଣି ରାସ୍ତାରେ ବହୁଛି । ବର୍ଷା ହେବାମାତ୍ରେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ରାଜଧାନୀରେ ଜଳବନ୍ଦୀ ସମସ୍ୟା ନୂଆକଥା ନୁହେଁ । ଡ୍ରେନେଜ୍ ଅବ୍ୟବସ୍ଥା ଯୋଗୁଁ ପ୍ରତିବର୍ଷ ରାଜଧାନୀବାସୀ ହସ୍ତସନ୍ତ ହେଉଛନ୍ତି । ଚାରିଆଡ଼େ ପାଣି ପଚପଚ । କେବେ କାର ଭସାଇ ନେଉଛି ତ କେବେ ପାଚେରୀ ଭୁଶୁଡ଼ି ପଡ଼ୁଛି । ବାରମ୍ବାର ପ୍ରଶାସନର ଦୃଷ୍ଟିଗୋଚର କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଅନ୍ୟପଟେ ବର୍ଷା ଦିନ ଆସିଲେ ବସ୍ତିରେ ରହୁଥିବା ଲୋକଙ୍କ କଥା କହିଲେ ନସରେ । ଫୋନି ପରେ ଅଣ୍ଟା ସଳଖି ନଥିବା ବସ୍ତିବାସିନ୍ଦାଙ୍କ ଉପରେ ଲଗାଣ ବର୍ଷା ଦୁର୍ଦ୍ଦଶା ଆଣିଛି । ତେବେ ଭୁବନେଶ୍ୱରବାସୀଙ୍କ ସମସ୍ୟା କଥା ଲୋକସଭାରେ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଲୋଭସଭାରେ ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା କଥା ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱରବାସୀଙ୍କ ଦୁଃଖ ଲାଘବ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ଅପରାଜିତା । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି । ଡ୍ରେନ୍ ଗୁଡ଼ିକ ମରାମତି କରାଯିବା ଉପରେ ଜୋର ଦେଇଛନ୍ତି । ଡ୍ରେନ ମରାମତି ହେବାଦ୍ୱାରା ଜଳ ନିଷ୍କାସନ ସହଜ ହୋଇପାରିବ । ଏଦିଗ ପ୍ରତି ଅଧିକ ଦୃଷ୍ଟି ଦେବାପାଇଁ ଜଳ ଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବା ପାଇଁ ଲୋକସଭାରେ ଅନୁରୋଧ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ବର୍ଷା ଦିନ ଆସିଯାଇଛି, ହେଲେ ରାଜଧାନୀରେ ଶେଷ ହୋଇନି ଡ୍ରେନେଜ୍ ବ୍ୟବସ୍ଥା । ଆଗକୁ ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିବ । ସ୍ୱାର୍ଟସିଟିର ଅବସ୍ଥା ଏପରି ହେଲେ ଅପହଞ୍ଚ ଇଲାକାର ଅବସ୍ଥା କ’ଣ ହେବ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।