ସ୍ୱଚ୍ଛ ,ପାରଦର୍ଶୀ ଓ ସକରାତ୍ମକ ରାଜନୀତି କରିବି : ଅପରାଜିତା ଷଡ଼ଙ୍ଗୀ

257

କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିବା ବରିଷ୍ଠ ଆଇଏଏସ ଅଫିସର ତଥା ଓଡ଼ିଆ ବୋହୁ ଅପରାଜିତା ଷଡଙ୍ଗୀ ଆଜି ଭୁବନେଶ୍ୱର ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଚିଂବା ପରେ ତାଙ୍କୁ ସେଠାରେ ସ୍ୱାଗତ କରାଯାଇଥିଲା । ଏହା ପରେ ଏକ ଶୋଭାଯାତ୍ରାରେ ସେ ଲିଙ୍ଗରାଜ ମନ୍ଦିର ଯାଇଥିଲେ ।

ତେବେ ସେଠାରେ ଅପରାଜିତା କହିଛନ୍ତି ଭୁବନେଶ୍ୱର ପହଞ୍ଚିବା ପରେ ମୋତେ ନିଜ ଘରକୁ ଆସିଲା ପରି ଲାଗୁଛି । ବହୁତ ଖୁସ, ବହୁତ ଆନନ୍ଦିତ ଓ ଉତ୍ସାହିତ ବୋଲି କହିଛନ୍ତି ଅପରାଜିତା । ଲୋକଙ୍କ ଉତ୍ସାହ ଦେଖି ମଧ୍ୟ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଆଗାମୀ ସମୟରେ ସୁଶାସନ, ସ୍ୱଚ୍ଛ , ପାରଦର୍ଶୀ, ସକରାତ୍ମକ ରାଜନୀତି କରିବି ବୋଲି ସେ କହିଛନ୍ତି । ସମସ୍ତଙ୍କ ସହ ମିଳିମିଶି ଚାଲିବି । ଭାରତୀୟ ଜନତା ପାର୍ଟିର ଜଣେ ସାମାନ୍ୟ କର୍ମୀ ଭାବେ ବିନମ୍ର ସହକାରେ ସମସ୍ତଙ୍କ ସହ ହାତ ମିଳାଇ କାମ କରିବି ।

ଓଡ଼ିଶାକୁ ଭାରତରେ ଏକ ପ୍ରଗତିଶୀଳ ରାଜ୍ୟ ହିସାବରେ ପରିଚିତ କରାଇବା ଲକ୍ଷ୍ୟ ରହିବ । କାହା ସହ କୌଣସି ପ୍ରକାର ପ୍ରତିଯୋଗିତା ନାହିଁ ସବୁବେଳେ ନିଜ ସହ ପ୍ରତିଯୋଗିତା କରିଆସିଛି ବୋଲି ସେ କହିଛନ୍ତି । ସବୁ ଦିନ ନିଜକୁ ଚ୍ୟାଲେଞ୍ଜ କରି ପ୍ରତିଦିନ ନିଜକୁ ଅନୁଶୀଳନ କରେ । ଦଳୀୟ ନେତାମାନଙ୍କୁ ଭେଟିବେ, ଲୋକମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ଗତ ମଙ୍ଗଳବାର ବିଜେପିରେ ସାମିଲ ହୋଇଥିଲେ । ମୋଦିଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ଅନେକ ବଡ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଭୂମିକା କଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।