ଜେଲ ଗଲେ ଅନୁପ ସାଏ : ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ୍ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

403

କନକ ବ୍ୟୁରୋ : ଜେଲ ଗଲେ ଅନୁପ ସାଏ  । ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି । ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।  ରାୟଗଡ଼ ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମଏଫସି କୋର୍ଟରେ ହାଜର କରିଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ।

୨୦୧୬ର ଏକ ଜଘନ୍ୟ ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଛି ରାୟଗଡ ପୋଲିସ । ହତ୍ୟାକାଣ୍ଡର ପ୍ରାୟ ୩ ବର୍ଷ ୭ ମାସ ପରେ ଅନୁପଙ୍କୁ କେବଳ ଗିରଫ କରିନାହିଁ ବରଂ ଯଥେଷ୍ଟ ପ୍ରମାଣ ରହିଥିବା ଦାବି କରିଛି ଛତିଶଗଡ ପୋଲିସ । ୨୦୧୬ ମେ ୫ ତାରିଖରେ ମାଆ ଓ ଝିଅଙ୍କୁ ନିଜେ ଅନୁପ ସାଏ ହିଁ ଲୁହା ରଡରେ ପିଟି ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ କୁମାର ସିଂହ । ଏପରିକି ମୃତକଙ୍କ ପରିଚୟ ଲୁଚାଇବାକୁ ଉଭୟ ମାଆ, ଝିଅଙ୍କ ମରଶରୀରରେ ଗାଡି ଚଢାଇ ଦେଇଥିଲେ ।

ମୃତ ମହିଳା କଳ୍ପନା ଦାସଙ୍କ ମୋବାଇଲ କଲ ରେକର୍ଡରୁ ଅନୁପ ସାଏଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିଲା । ପ୍ରଥମରୁ ହତ୍ୟାକାଣ୍ଡରେ ସଂପୃକ୍ତିକୁ ଅନୁପ ସାଏ ଅସ୍ୱୀକାର କରୁଥିଲେ ବି ପରେ ସତ ସ୍ୱୀକାର କରିଥିବା ପୋଲିସ କହିଛି । ସ୍ୱାମୀ ପରିତ୍ୟକ୍ତା କଳ୍ପନାଙ୍କ ସହ ଅନୁପଙ୍କର ପ୍ରେମ ସଂପର୍କ ରହିଥିଲା । ଏପରିକି ୩୨ ବର୍ଷୀୟ କଳ୍ପନାଙ୍କୁ ପତ୍ନୀ ଓ ତାଙ୍କ ୧୪ ବର୍ଷର ଝିଅ ବବଲିଙ୍କୁ ଝିଅର ମାନ୍ୟତା ଦେଇ ଭୁବନେଶ୍ୱର ସୁନ୍ଦରପଦାରେ ଏକ ଘରେ ରଖିଥିଲେ ଅନୁପ ସାଏ । ହେଲେ ବିବାଦ ପାଇଁ ଚାପ ପକାଇବା ସହ ସଂପତିରେ ଭାଗ ମାଗିବାରୁ ଦୁହିଁଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ ସେ ।

ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆହୁରି କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରୁଛି ଛତିଶଗଡ ପୋଲିସ । ଏଥିପାଇଁ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋଟିକ୍ସ ଟେଷ୍ଟ କରିବାକୁ ଯୋଜନା ଚଳାଇଛି ।